ଚାଇନାରୁ ଏମିତି ଏକ ଖବର ଆସିଛି, ଯାହା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ। ଦୀର୍ଘ ତିନି ବର୍ଷର ଅପେକ୍ଷା ପରେ ଜଣେ ରୁଷିଆ ମହିଳା ତାଙ୍କ ସ୍ବାମୀଙ୍କୁ ଭେଟିବା ପାଇଁ ଚାଇନାରେ ପହଞ୍ଚିଥିଲେ। କିନ୍ତୁ କିଛି ଘଣ୍ଟା ମଧ୍ୟରେ ଏହି ସୁଖର ଖବର ଦୁଃଖରେ ପରିଣତ ହୋଇଥିଲା। ବାସ୍ତବରେ ଏହି ମହିଳାଙ୍କ ହୃଦ୍ଘାତରେ ମୃତ୍ୟୁ ଘଟିଥିଲା। କରୋନା ପ୍ରତିବନ୍ଧକ ଯୋଗୁ ଉଭୟେ ସାକ୍ଷାତ ହୋଇପାରି ନ ଥିଲେ। ଏବେ ତାଙ୍କ ସ୍ବାମୀ ସ୍ତ୍ରୀଙ୍କ ମୃତ୍ୟୁ ପରେ ଅଙ୍ଗଦାନ କରିଛନ୍ତି। ତାଙ୍କର ଏହି ପଦକ୍ଷେପ ପରେ ଚାଇନାର ସୋସିଆଲ ମିଡିଆରେ ଅନେକ ପ୍ରଶଂସା ସାଉଁଟିଛି।
ଏକ ରିପୋର୍ଟ ଅନୁଯାୟୀ, ୩୦ ବର୍ଷ ବୟସ୍କା ନିକା ଏବଂ ୩୮ ବର୍ଷୀୟା ଓୟାଙ୍ଗ ପ୍ରଥମେ ୨୦୧୮ରେ ସାକ୍ଷାତ ହୋଇଥିଲେ। ଦୁହେଁ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ। ସେମାନେ ଏପ୍ରିଲ ୨୦୧୯ରେ ବିବାହ କରିଥିଲେ ଏବଂ ପରେ ସେହି ବର୍ଷ ସେପ୍ଟେମ୍ବରରେ ରୁଷିଆକୁ ଯାଇ ନିକାଙ୍କ ମା’ଙ୍କୁ ଭେଟିଥିଲେ। ଓୟାଙ୍ଗ ଶୀଘ୍ର ଚାଇନାକୁ ଫେରିଗଲେ। କିଛି ମାସ ପରେ ନିକାଙ୍କୁ ମଧ୍ୟ ଚାଇନାକୁ ଫେରିବାକୁ ପଡ଼ିଥିଲା। କିନ୍ତୁ କରୋନା ଯୋଗୁ ସେ ଚାଇନାକୁ ଫେରିପାରି ନ ଥିଲେ।
ଶେଷରେ, ଚଳିତ ବର୍ଷ ଅକ୍ଟୋବର ଶେଷରେ, ନିକା ଚାଇନାରେ ପହଞ୍ଚିଥିଲେ। ଓୟାଙ୍ଗ କହିଛନ୍ତି, ‘ଆମେ ଦୁହେଁ କାନ୍ଦୁଥିଲୁ ଏବଂ ପାଞ୍ଚ ମିନିଟ ପାଇଁ ଆଲିଙ୍ଗନ କରିଥିଲୁ। ମୁଁ ବହୁତ ଖୁସି ଥିଲି। କିନ୍ତୁ ଘରକୁ ଫେରିବା ବାଟରେ ଏହି ସୁଖ ଦୁଃଖରେ ପରିଣତ ହୋଇଥିଲା। ସେ ତାଙ୍କ ସ୍ତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ, ଯେଉଁଠାରେ ଡାକ୍ତରମାନେ କହିଥିଲେ ନିକାଙ୍କର ହୃଦ୍ଘାତ ହୋଇଛି। ତାଙ୍କର ସୁସ୍ଥ ହେବାର କୌଣସି ଆଶା ନଥିଲା।
ଓୟାଙ୍ଗ ହାର ମାନିଲେ ନାହିଁ ଏବଂ ତାଙ୍କୁ ୧୫୦ କିଲୋମିଟର ଦୂରରେ ଥିବା ଏକ ବଡ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେତେବେଳକୁ ନିକା କୋମାକୁ ଯାଇଥିଲେ। ଓୟାଙ୍ଗ କହିଛନ୍ତି, ସେ ଏହା ପୂର୍ବରୁ ତାଙ୍କ ସ୍ତ୍ରୀଙ୍କ ସହ ଅଙ୍ଗଦାନ ବିଷୟରେ ଆଲୋଚନା କରିଥିଲେ। ଏହା ପୂର୍ବରୁ ସେ ମରିଯିବେ ବୋଲି ଭୟ କରିଥିଲେ। ସେ କହିଛନ୍ତି, ନିକା ତାଙ୍କ ମୃତ୍ୟୁ ପରେ ତାଙ୍କ ଅଙ୍ଗଦାନ କରିବାକୁ ରାଜି ହୋଇଥିଲେ।
ଏହି ମାସ ଆରମ୍ଭରେ ଦକ୍ଷିଣ ଚାଇନାର ଗୁଆଙ୍ଗସି ଜୁଆଙ୍ଗ ସ୍ବୟଂଶାସିତ ଅଞ୍ଚଳର ନାନ୍ନିଙ୍ଗରେ ଏହି ଅଙ୍ଗ ପ୍ରତିରୋପଣ କରାଯାଇଥିଲା ଯେଉଁଥିରେ ଡାକ୍ତରମାନେ ୩୦ବର୍ଷୀୟା ନିକାଙ୍କ ଯକୃତ ଏବଂ କିଡନୀକୁ ୪ ଜଣଙ୍କ ମଧ୍ୟରେ ସଫଳତାର ସହ ସ୍ଥାନାନ୍ତର କରିଥିଲେ ବୋଲି ଏକ ରିପୋର୍ଟରୁ ପ୍ରକାଶ। ମହିଳାଙ୍କ ଯକୃତକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା ଏବଂ ଯକୃତ କର୍କଟ ରୋଗରେ ପୀଡିତ ଜଣେ କିଶୋର ଏବଂ ବୟସ୍କ ବ୍ୟକ୍ତିଙ୍କୁ ଦିଆଯାଇଥିଲା।