୩୦ ବର୍ଷ ପରେ ମନେ ପଡ଼ିଲା ଗାଁ କଥା

ରାଜନଗର, ୯ା୧୦(ଭାସ୍କର ରାଉତରାୟ): ୩୦ ବର୍ଷ ତଳର ମର୍ମଭେଦୀ ଘଟଣାଟି ଏବେ ରାଜନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅଭାବ ଅନାଟନ ଭିତରେ ଥିବା ରାଜନଗର ବ୍ଲକ ଅନ୍ତର୍ଗତ ଢୋଲମରା ଗାଁର ଜାମିନୀ ସେଠୀ ପେଟ ପୋଷିବା ପାଇଁ ଗାଁ ଛାଡି ଥିଲେ। ପହଁଛି ଥିଲେ ରାଜସ୍ଥାନରେ। ଦାଦନ ଭାବେ କାମ କରୁଥିଲେ। ସେଠାରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ, ସେବେଠୁଁ ନିଖୋଜ ହୋଇଯାଇଥିଲେ ଦାଦନ ଜାମିନୀ। ବର୍ଷ ବର୍ଷ ଧରି ଜାମିନୀଙ୍କ ଫେରିବା ବାଟକୁ ଅପେକ୍ଷା କରିଥିଲେ ପରିବାର ଲୋକେ। ଦୁର୍ଘଟଣାରେ ବଞ୍ଚିଛନ୍ତି ନାଁ ମରିଛନ୍ତି, ଆଶା ଆଶଙ୍କାରେ ଥିଲେ ପରିବାର। ଜାମିନୀଙ୍କ କୌଣସି ଖୋଜ ଖବର ନ ମିଳିବାରୁ ଆତ୍ମୀୟ ସ୍ବଜନ ଓ ପରିବାର ୮ ବର୍ଷ ତଳୁ ତାଙ୍କୁ ଶୁଦ୍ଧି ହୋଇ ସାରିଥିଲେ। ବିଧିର ବିଧାନ କିନ୍ତୁ ନିଆରା। ଜାମିନୀ ଏବେ ବି ବଞ୍ଚିଛନ୍ତି। ଦେଶର ଅନ୍ୟତମ ସ୍ବେଚ୍ଛାସେବୀ ଅନୁଷ୍ଠାନ ଥାନେର ଶ୍ରଦ୍ଧା ଥଇଥାନ ଫାଉଣ୍ଡେଶନ ସଂସ୍ଥା ଜାମିନୀଙ୍କୁ ନିଜ ପାଖରେ ରଖି ମହାରାଷ୍ଟ୍ରର ଏକ ମେଣ୍ଟାଲ ହସ୍ପିଟାଲରେ ଚିକିତ୍ସିତ କରୁଥିଲେ। ସୁସ୍ଥ ହେବା ପରେ ଜାମିନୀ ନିଜ ଗାଁ ଠିକଣା ଦେଇଥିଲେ। ୩୦ ବର୍ଷ ତଳୁ ହଜି ଯାଇଥିବା ହତଭାଗ୍ୟ ଜାମିନୀ ଏବେ ଗାଁରେ ପାଦ ଥାପିଛନ୍ତି। ଜାମିନୀ ଫେରିବା ପରେ ଗାଁ ସାହି ପଡିଶାଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ହେଲେ ପରିବାର ପାଇଁ ଆଉ ଏକ ବୋଝ ପାଲଟି ଯାଇଛନ୍ତି ଜାମିନୀ।
ସୂଚନା ମୁତାବକ, ଏହି ବ୍ଲକର ଢୋଲମରା ଗାଁର ପାଣ୍ଡବ ସେଠୀଙ୍କ ସାନପୁଅ ୨୫ ବର୍ଷିୟ ଜାମିନୀ ୩୦ବର୍ଷ ତଳେ ରାଜସ୍ଥାନକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଏକ ସଡକ ଦୁର୍ଘଟଣାର ଶିକାର ହେବାପରେ ନିଜ ଠିକଣା ହଜାଇ ଦେଇଥିଲେ। ରୋଜଗାରିଆ ପୁଅ ହଜିବା ଦୁଃଖରେ ବାପା ପାଣ୍ଡବ ଓ ମା’ ସୁବର୍ଣ୍ଣା ଝୁରିଝୁରି ଶେଷରେ ଆଖି ବୁଜି ଦେଇଥିଲେ। ଦୀର୍ଘ ୨୨ବର୍ଷ ଧରି ଖୋଜାଖୋଜି ପରେ ଜାମିନୀଙ୍କ କୌଣସି ଖୋଜ ଖବର ନ ମିଳିବାରୁ ପରିବାର ଲୋକେ ଓ ବନ୍ଧୁ ପରିଜନ ଶୁଦ୍ଧି ହୋଇପଡ଼ିଥିଲେ। ମାତ୍ର ରବିବାର ଅପରାହ୍ନ ହଠାତ୍‌ ଜାମିନୀ ଗାଁରେ ପାଦ ରଖିଥିଲେ। ଜାମିନୀଙ୍କୁ ଦେଖି ଗାଁର ଲୋକେ ଭାବ ବିହ୍ବଳ ହୋଇପଡିଥିଲେ। ଘରେ ପାଦ ରଖିବା ପରେ ବାପା, ମାଆଙ୍କୁ ନ ପାଇ ଭୋ ଭୋ ହୋଇ କାନ୍ଦିଥିଲେ। ପରେ ନିଜ ଭାଇ, ଭାଉଜ ଓ ପୁତୁରା ଝିଆରୀଙ୍କୁ ଦେଖି ଖୁସି ହୋଇଥିଲେ। ରବିବାର ମହାରାଷ୍ଟ୍ର ଥାନେର ଶ୍ରଦ୍ଧା ଥଇଥାନ ଫାଉଣ୍ଡେଶନର ୩ଜଣ ସଦସ୍ୟ ଜାମିନୀଙ୍କୁ ସାଙ୍ଗରେ ଆଣି ଢୋଲମରା ଗାଁରେ ପହଞ୍ଚି ପରିବାର ଲୋକଙ୍କୁ ଜିମା ଦେବା ସହ ସେ ଚିକିତ୍ସିିତ ହେଉଥିବା ପ୍ରେସକ୍ରିପସନ ଓ ମେଡିସିନ ଦେଇ ଯାଇଛନ୍ତି। ସେମାନଙ୍କ ସୂଚନା ମୁତାବକ, ଜାମିନୀ ମହାରାଷ୍ଟ୍ର ଥାନେର ରିଜିଓନାଲ ମେଣ୍ଟାଲ ହସ୍ପିଟାଲରେ ଚିକିତ୍ସିତ ହେବା ସହ ଶ୍ରଦ୍ଧା ଫାଉଣ୍ଡେଶନରେ ରହୁଥିଲେ। ତାଙ୍କର ପରିବାର ଓ ଘର କଥା କିଛି ମନେ ନ ଥିଲା। ମାସକ ତଳେ ହଠାତ୍‌ ତାଙ୍କର ଗାଁ, ପରିବାର କଥା ମନେ ପଡ଼ିଥିଲା। ସେ ତାଙ୍କର ପରିଚୟ ଦେବା ସହ ଘରକୁ ଫେରିବାକୁ କହିଥିଲେ। ରବିବାର ଟ୍ରେନରେ ଆସି ଭୁବନେଶ୍ୱରରେ ଓହ୍ଲାଇବା ପରେ ଅଟୋ ଯୋଗେ ଗାଁରେ ଆସି ଅପରାହ୍ନରେ ପହଞ୍ଚି ଥିଲେ।