Categories: Uncategorized

୩୦ବର୍ଷ ପରେ ଲକ୍ଷ୍ମୀଙ୍କୁ ସ୍ବୀକାର କଲେ ବାପା

ଭବାନୀପାଟଣା,୭।୬(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିକିଲି ଗ୍ରାମର ବୈକୁଣ୍ଠ ଦୁର୍ଗା ତାଙ୍କ ଝିଅକୁ ୩୦ ବର୍ଷ ପରେ ନିଜ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ୧୯୮୫ରେ ବୈକୁଣ୍ଠ ମହାରାଷ୍ଟ୍ରର ନାଗପୁର ସହରର କାମେଟିଠାରେ କଲମପୁର ବ୍ଲକ୍‌ ବାଲିଛଡ଼ାର ଅନିତା ଛତ୍ରିଆଙ୍କୁ ବିବାହ କରିଥିଲେ। ଏହା ପରେ ଅନିତାଙ୍କୁ ଗର୍ଭାବସ୍ଥାରେ ଛାଡ଼ିଦେଇ ନିଜ ଗାଁ ଚିକିଲିକୁ ଫେରି ଆସିଥିଲେ। ଏହା ପରେ ଆଉ ନାଗପୁର ଫେରି ନ ଥିଲେ। ଇତିମଧ୍ୟରେ ଅନିତାଙ୍କ ଲକ୍ଷ୍ମୀ ନାମରେ ଝିଅଟିଏ ଜନ୍ମ ହୋଇଥିଲା। ସେହି ଝିଅଟି ବିଏ ପଢ଼ି ଉଚ୍ଚଶିକ୍ଷିତ ମଧ୍ୟ ହୋଇଥିଲା। ଏଣେ ବୈକୁଣ୍ଠ ପରିବାର ଚାପରେ ଲଡ଼ୁଗାଁରେ ଦ୍ବିତୀୟ ବିବାହ କଲେ। ତାଙ୍କ ଦ୍ୱିତୀୟ ପତ୍ନୀ ଏବେ ଚିକିଲି ଗ୍ରାମର ଆଶାଦିଦି ଭାବେ କାର୍ଯ୍ୟ କରୁଛନ୍ତି। ଇତିମଧ୍ୟରେ ଲକ୍ଷ୍ମୀ ମା’ ଅନିତାଙ୍କ ନିକଟରୁ ବାପାଙ୍କ ବିଷୟରେ ସବୁ ଜାଣିବା ପରେ ଚିକିଲିକୁ ଆସି ତାଙ୍କୁ ଝିଅ ଭାବେ ଗ୍ରହଣ କରିବାକୁ ବୈକୁଣ୍ଠଙ୍କୁ ଅନୁରୋଧ କରିଥିଲେ। ତେବେ ବୈକୁଣ୍ଠଙ୍କ ଦ୍ୱିତୀୟ ପତ୍ନୀ ତାଙ୍କୁ ଝିଅ ଭାବେ ଗ୍ରହଣ କରିବାକୁ ମନା କରିଦେଲେ। ଫଳରେ ଲକ୍ଷ୍ମୀ କଲମପୁର ବ୍ଲକ୍‌ ଅଲ୍‌ ଓଡ଼ିଶା ସିଡ୍ୟୁଲ୍‌ କାଷ୍ଟ ଫେଡେରେଶନ (ଏଓଏସ୍‌ଏଫ୍‌)କୁ ନ୍ୟାୟ ପାଇଁ ଦରଖାସ୍ତ କରିଥିଲେ। ଏଓଏସ୍‌ଏଫ୍‌ ମହାସଚିବ ଯତୀନ୍ଦ୍ର କର ହସ୍ତକ୍ଷେପ କରି ଚିକିଲି ଗ୍ରାମରେ ଏକ ବୈଠକ ଡକାଇଥିଲେ। ବୈଠକରେ ଆପୋସ ସମାଧାନ ପରେ ବୈକୁଣ୍ଠ ଲକ୍ଷ୍ମୀଙ୍କୁ ଝିଅ ଭାବେ ଗ୍ରହଣ କରିବାକୁ ରାଜି ହୋଇଥିଲେ।