୩୦ ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ

ବାଲିକୁଦା,୭ା୪(ସ୍ବ.ପ୍ର.): ୩୦ ବର୍ଷ ଧରି ଫେରାର୍‌ ଥିବା ଜଣେ ଅଭିଯୁକ୍ତଙ୍କୁ ବୁଧବାର ବାଲିକୁଦା ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେ ହେଲେ ବାଲିକୁଦା ଥାନା ଅନ୍ତର୍ଗତ ଅନନ୍ତପୁର ଫାଣ୍ଡି ଅଧୀନ ବରମୁଣ୍ଡଳୀ ପଞ୍ଚାୟତ ବରଦିଆ (ଫୁଲବେଲାରୀ) ଗଁାର ଗନ୍ଧର୍ବ ବେହେରା(୮୦)। ଗନ୍ଧର୍ବ ୧୯୯୩ରେ ପାରାଦୀପର ଏକ ମାମଲାରେ ଅଭିଯୁକ୍ତ ଥାଇ ଫେରାର୍‌ ଥିଲେ। ଏ ନେଇ କୁଜଙ୍ଗ କୋର୍ଟ ପକ୍ଷରୁ ଜିଆର କେସ୍‌ ନମ୍ବର (୮୨/୯୩) ଅନୁଯାୟୀ, ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ଗନ୍ଧର୍ବଙ୍କ ଘର ବାଲିକୁଦା ଥାନା ଅଞ୍ଚଳରେ ହୋଇଥିବାବେଳେ ସେ ପାରାଦୀପରେ ରହୁଥିଲେ। ତାଙ୍କ ଠିକଣାକୁ ନେଇ ପୋଲିସ ଦ୍ୱନ୍ଦ୍ୱରେ ପଡ଼ିବାରୁ ଏପର୍ଯ୍ୟନ୍ତ ଗିରଫ କରି ପାରି ନ ଥିଲା। ବୁଧବାର ସେ ନିଜ ଘରକୁ (ଫୁଲୁବେଲାରୀ) ଆସିଥିବା ସୂଚନା ପାଇ ଫାଣ୍ଡି ପୋଲିସ ସେଠାରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା।