୩୯ବର୍ଷ ପରେ ଦ୍ୱିତୀୟ ଅଣ ଓଡ଼ିଆ ଅଫିସର ନେଲେ ରାଜ୍ୟରେ ବଡ଼ ଦାୟିତ୍ୱ

ଭୁବନେଶ୍ୱର,୨୮।୬: ରାଜ୍ୟର ମୁଖ୍ୟ ଶାସନ ସଚିବ ପଦକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନାରେ ପଡିଛି ପୂର୍ଣ୍ଣଚ୍ଛେଦ। ଏବେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ହୋଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ମନୋଜ ଆହୁଜା। ଦୀର୍ଘ ୩୯ ବର୍ଷ ପରେ ଜଣେ ଅଣ ଓଡ଼ିଆ ଆଇଏଏସ ଅଫିସର ରାଜ୍ୟର ମୁଖ୍ୟ ଶାସନ ସଚିବ ହେବାକୁ ଯାଉଛନ୍ତି। ମୋହନ ମାଝିଙ୍କ ନୂଆ ସରକାରରେ ଆହୁଜାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛିି।

ଗତ ୪ ଦଶନ୍ଧି ଧରି ଏହି ପଦରେ ସର୍ବଦା ଓଡ଼ିଆ ପ୍ରଶାସନିକ ଅଧିକାରୀ ରହି ଆସିଥିଲେ। କିନ୍ତୁ ମୋହନ ମାଝିଙ୍କ ନବ ନିର୍ବାଚିତ ସରକାରରେ ଏହାର ବ୍ୟତିକ୍ରମ ଘଟିଛି। ଅଣ ଓଡ଼ିଆ ଆଇଏଏସ ଅଫିସର ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି କରାଯାଇଛି। ଆହୁଜାଙ୍କ ପୂର୍ବରୁ୧୯୮୩ ଏପ୍ରିଲରୁ ୧୯୮୫ ଡିସେମ୍ବର ପର୍ଯ୍ୟନ୍ତ ଜ୍ଞାନ ଚନ୍ଦ ଓଡ଼ିଶାର ମୁଖ୍ୟ ସଚିବ ରହିଥିଲେ । ସେ ପୂର୍ବତ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ମୁଖ୍ୟ ଶାସନ ସଚିବ ଥିଲେ। ତେବେ ଦ୍ୱିତୀୟ ଅଣ ଓଡ଼ିଆ ମୁଖ୍ୟ ଶାସନ ସଚିବ ଭାବେ ଆହୁଜାଙ୍କୁ ଦାୟିତ୍ୱ ମିଳିଛି।

୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡରର ଆଇଏଏସ ମନୋଜ ଆହୁଜା ଓଡ଼ିଶା ସରକାରରେ ଇସ୍ପାତ ଓ ଖଣି ସଚିବ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରିଛନ୍ତି। ଆହୁଜା ଜଣେ କ୍ରୀଡା ପ୍ରେମୀ ଅଟନ୍ତି। ସେ ଦୁଃସାହସିକ କ୍ରୀଡାରେ ଭାଗ ନେବାକୁ ପସନ୍ଦ କରନ୍ତି। ତାଙ୍କ ସ୍ତ୍ରୀ ହେଉଛନ୍ତି ଆରତି ଆହୁଜା, ଯିଏ ୧୯୯୦ ବ୍ୟାଚର ଆଇଏଏସ ଅଧିକାରୀ। ସେ ମଧ୍ୟ ମଧ୍ୟ ଓଡ଼ିଶା କ୍ୟାଡରର ଆଇଏଏସ ଅଫିସର ରହିଛନ୍ତି।
ଚଳିତ ବର୍ଷ ଆରମ୍ଭରେ ସେ ଶ୍ରମ ଓ ରୋଜଗାର ସଚିବ ପଦରୁ ଅବସର ନେଇଛନ୍ତି। ଟେକ୍ନୋକ୍ରାଟରୁ ପ୍ରଶାସନିକ ଅଧିକରୀ ହୋଇଥିବା ଆହୁଜା କେନ୍ଦ୍ର ସରକାର ଓ ରାଜ୍ୟ ସରକାରରେ ଅନେକ ଗୁରତ୍ୱପୂର୍ଣ୍ଣ ପଦରେ କାମ କରିଛନ୍ତି। ସେ କେନ୍ଦ୍ରରେ କୃଷି ମନ୍ତ୍ରଣାଳୟର ସଚିବ ଥିଲେ।

ସୂଚନାଥାଉ କି, ଆହୁଜା କେନ୍ଦ୍ରୀୟ ଡେପୁଟେଶନରେ ଥିଲେ । ତାଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ । ସେ ଓଡିଶାର ମୁଖ୍ୟ ଶାସନ ସଚିବ ହେଲେ ତାଙ୍କ କାର୍ଯ୍ୟ କାଳ ଛଅ ମାସ ରହିପାରେ। କାରଣ ଆହୁଜା ଆସନ୍ତା ଡିସେମ୍ବରରେ ଅବସର ନେବାକୁ ଯାଉଛନ୍ତି ।

Share