୪୭ ବର୍ଷ ପରେ ରୁଷିଆ ଲଞ୍ଚ୍‌ କଲା ଲୁନା-୨୫

ମସ୍କୋ,୧୧।୮: ଭାରତ ପରେ ରୁଷିଆ ମଧ୍ୟ ଚନ୍ଦ୍ର ମିଶନ ଲୁନା-୨୫ ଲଞ୍ଚ କରିଛି। ୪୭ ବର୍ଷ ପରେ ରୁଷିଆ ଏହାର ଯାନ ପଠାଇଛି। ମସ୍କୋଠାରୁ ପ୍ରାୟ ୫୫୦୦ କିଲୋମିଟର ପୂର୍ବରେ ଅବସ୍ଥିତ ମୁର ଓବ୍ଲାଷ୍ଟର ଭୋଷ୍ଟୋନି କସମୋଡ୍ରୋମରୁ ଲୁନା ୨୫ ଲଞ୍ଚ କରାଯାଇଥିଲା। କୁହାଯାଉଛି ଯେ, ଭାରତର ଚନ୍ଦ୍ରୟାନ-୩ ପୂର୍ବରୁ ରୁଷିଆର ଲୁନା-୨୫ ଚନ୍ଦ୍ର ଉପରେ ପାଦ ଦେବ।
ରୁଷିଆର ଗଣମାଧ୍ୟମ ଅନୁଯାୟୀ, ଅଗଷ୍ଟ ୧୧ ଶୁକ୍ରବାର ସକାଳ ୪.୪୦ ସମୟରେ ରୁଷିଆର ଭୋଷ୍ଟୋନି କସମୋଡ୍ରୋମରୁ ଲୁନା-୨୫ ଲ୍ୟାଣ୍ଡର ଲଞ୍ଚ କରାଯାଇଥିଲା। ସୋୟୁଜ ୨.୧ ବି ରକେଟରେ ଲୁନା-୨୫ ଚନ୍ଦ୍ରକୁ ପଠାଯାଇଥିଲା। ଏହାକୁ ଲୁନା-ଗ୍ଲୋବ ମିଶନ ନାମରେ ନାମିତ କରାଯାଇଛି। ଏହି ରକେଟର ଲମ୍ବ ପ୍ରାୟ ୪୬.୩ ମିଟର ହୋଇଥିବାବେଳେ ଏହାର ବ୍ୟାସ ୧୦.୩ ମିଟର। ରୁଷିଆର ସ୍ପେସ ଏଜେନ୍ସି ରସକୋମୋସ କହିଛି ଯେ, ଲୁନା-୨୫ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଛି। ପାଞ୍ଚ ଦିନ ପାଇଁ ଏହା ଚନ୍ଦ୍ର ଆଡକୁ ଗତି କରିବ। ଏହା ପରେ ୩୧୩ ଟନ ଓଜନର ଏହି ରକେଟ ୭-୧୦ ଦିନ ଚନ୍ଦ୍ରରେ ବୁଲିବ। ୨୧ କିମ୍ବା ୨୨ ଅଗଷ୍ଟରେ ଏହା ଚନ୍ଦ୍ର ପୃଷ୍ଠରେ ପହଞ୍ଚିବ ବୋଲି ଆଶା କରାଯାଉଛି।

Share