Categories: ଖେଳ

୪୭ ବର୍ଷ ପରେ ଇଟାଲୀକୁ ପ୍ରଥମ ଡେଭିସ କପ୍‌

ମାଲାଗା, ୨୮ା୧୧: ଜାନିକ ସିନରଙ୍କ ଅଧିନାୟକତ୍ୱରେ ଇଟାଲୀ ୪୭ ବର୍ଷ ପରେ ପ୍ରଥମ ଥର ଡେଭିସ କପ୍‌ ଟାଇଟଲ ହାସଲ କରିଛି। ରବିବାର ଅନୁଷ୍ଠିତ ଫାଇନାଲର ଦ୍ୱିତୀୟ ସିଙ୍ଗଲ୍ସରେ ଆଲେକ୍ସ ଡି’ ମିନାଉରଙ୍କୁ ୬-୩, ୬-୦ରେ ପରାସ୍ତ କରିବା ପରେ ଏହି ସପ୍ତାହରେ ସିନରଙ୍କ ବିଜୟ ସଂଖ୍ୟା ରେକର୍ଡ ୫-୦ରେ ପହଞ୍ଚତ୍ଛି। ଏହାଦ୍ୱାରା ତାଙ୍କ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୨-୦ରେ ବିଜୟ ହାସଲ କରିବା ସହ ୧୯୭୬ ପରେ ପ୍ରଥମ ଥର ଡେଭିସ କପ୍‌ ହାସଲ କରିପାରିଛି।

ଆଲେକ୍ସି ପପିରିନ୍‌ଙ୍କୁ ୭-୫, ୨-୬, ୬-୪ରେ ପରାସ୍ତ କରି ମାଟେଓ ଆର୍ନାଲ୍ଡି ଇଟାଲୀକୁ ପ୍ରଥମ ପଏଣ୍ଟ ଦେଇଥିଲେ। ଶନିବାର ସର୍ବିୟା ବିପକ୍ଷ ମ୍ୟାଚରେ ବିଶ୍ୱର ୪ ନମ୍ବର ଖେଳାଳି ସିନର ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ନୋଭାକ ଜୋକୋଭିଚଙ୍କୁ ସିଙ୍ଗଲ୍ସରେ ପରାସ୍ତ କରିବା ସହ ଡବଲ୍ସରେ ବିଜୟ ହାସଲ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଇଟାଲୀକୁ ବିଜୟୀ କରାଇବା ଲାଗି ୨୨ ବର୍ଷୀୟ ଇଟାଲିଆନ ଖେଳାଳି ୧ ଘଣ୍ଟା ୨୧ ମିନିଟ ସମୟ ନେଇଥିଲେ। ମ୍ୟାଚ ପରେ ସିନର କହିଥିଲେ, ଆମେ ହେଉଛୁ ସମସ୍ତେ ଯୁବ କମ୍‌ ବୟସର ଖେଳାଳି । ମ୍ୟାଚ ଜିତିବାର କ୍ଷୁଧା ଆମ ନିକଟରେ ରହିଛି। ଏହି ବିଜୟରେ ସେ ଖୁବ୍‌ ଆନନ୍ଦିତ। ସିନର ସେପ୍ଟେମ୍ବରପରଠାରୁ ୯ଜଣ ଟପ୍‌ ଟେନ୍‌ ଖେଳାଳିଙ୍କୁ ହରାଇ ସାରିଲେଣି। ତେବେ ଏକ ସପ୍ତାହ ପୂର୍ବେ ସେ ଏଟିପି ଫାଇନାଲ୍ସରେ ଜୋକୋଭିଚ୍‌ଙ୍କଠାରୁ ହାରିଯାଇଥିଲେ।

Share