୫ଦିନ ପରେ ତାପମାତ୍ରା ଆହୁରି ବଢ଼ିବ

ଭୁବନେଶ୍ୱର, ୨୭ା୨(ବ୍ୟୁରୋ):ରାଜ୍ୟରେ ବଢୁଛି ତାତି। କିଛି ସ୍ଥାନରେ ପାରଦ ୩୮ ଡିଗ୍ରୀ ପାର୍‌ କଲାଣି। ଆଗାମୀ ୪ରୁ ୫ଦିନ ଯାଏ ଏଭଳି ସ୍ଥିତି ଲାଗି ରହିବ। ତେବେ ୫ ଦିନ ପରେ ରାଜ୍ୟରେ ତାପମାତ୍ରା ଆହୁରି ବଢ଼ିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ରବିବାର ସକାଳେ ରାଜ୍ୟର କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଥିଲା। ବିଶେଷକରି କଟକ, ପୁରୀ, ଜଗତ୍‌ସିଂହପୁର, ଖୋର୍ଦ୍ଧା ଓ ଗଞ୍ଜାମର କିଛି ସ୍ଥାନରେ ଘନ କୁହୁଡ଼ି ହୋଇଥିଲା। ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଏବେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ବାଭାବିକ ତାପମାତ୍ରାଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହୁଛି। ରବିବାର ବୌଦ୍ଧ ଓ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୭.୫ ଡିଗ୍ରୀ ରହିଥିଲା। ସେହିପରି ଝାରସୁଗୁଡ଼ାରେ ୩୬.୬, ସମ୍ବଲପୁରର ୩୬.୨, ସୁନ୍ଦରଗଡ଼ ୩୬, ନୟାଗଡ଼ ୩୬.୫, ବରଗଡ଼ ୩୫.୨, ଫୁଲବାଣୀ ୩୫.୭, ଟିଟିଲାଗଡ଼ ୩୫, ଭବାନୀପାଟଣା ୩୫.୪, ତାଳଚେର ୩୫.୮, ହୀରାକୁଦ ୩୫.୭ ଓ ଭୁବନେଶ୍ୱରରେ ୩୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଆଗକୁ ତାତି ଆହୁରି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Share