କରାଚି, ୩୦।୭: ପାକିସ୍ତାନ କ୍ରିକେଟ୍ ଦଳର ଦ୍ରୁତ ବୋଲର ହାରିସ ରୌଫ୍ଙ୍କ ପାଇଁ ଖୁସି ଖବର। ଶେଷରେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଫଳରେ ଏବେ ହାରିସ ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ସିରିଜ ଲାଗି ଦଳ ସହ ଯୋଗ ଦେଇପାରିବେ ବୋଲି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପକ୍ଷରୁ କୁହାଯାଇଛି। ଇଂଲଣ୍ଡ ଟୁର୍ ଲାଗି ପିସିବି ପକ୍ଷରୁ ଏକ ୨୯ ଜଣିଆ ଦଳ ଘୋଷଣା କରାଯାଇଥିଲା। ଯେଉଁଥିରେ ଏହି ୨୬ ବର୍ଷୀୟ ଡାହାଣହାତୀ ଦ୍ରୁତ ବୋଲର ସ୍ଥାନ ପାଇଥିଲେ। କିନ୍ତୁ ଗତ ମାସରେ ତାଙ୍କ କରୋନା ଟେଷ୍ଟ ହୋଇଥିଲା। ଯେଉଁଥିରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ। ଏହିଭଳି ଭାବେ ପର୍ଯ୍ୟାୟକ୍ରମେ ତାଙ୍କର ୫ଥର କରୋନା ଟେଷ୍ଟ ହୋଇଥିବାବେଳେ ହାରିସ ପ୍ରତ୍ୟେକଥର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତେବେ ସଦ୍ୟତମ ଘଟଣାକ୍ରମେ ତାଙ୍କର ୨ଥର ଟେଷ୍ଟ ହୋଇଥିଲା। ଯେଉଁଥିରେ ରିପୋର୍ଟ ନେଗେଟିଭ ଆସିଛି। ତେଣୁ କରୋନା ପ୍ରୋଟୋକଲ ଅନୁଯାୟୀ ସେ ଇଂଲଣ୍ଡ ଗସ୍ତ କରି ସାଥୀ ଖେଳାଳିଙ୍କ ସହ ଯୋଗ ଦେଇପାରିବେ। ପାକିସ୍ତାନ ଦଳ ଏହି ଗସ୍ତରେ ଘରୋଇ ଇଂଲଣ୍ଡ ବିପକ୍ଷରେ ୩ଟି ଲେଖାଏ ଟେଷ୍ଟ ଓ ଟି୨୦ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଛି। ଅଗଷ୍ଟ ୫ରୁ ଦୁଇ ଦେଶ ମଧ୍ୟରେ ମାଞ୍ଚେଷ୍ଟରଠାରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ।