ଟେନ୍ସା,୨ା୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଫରେଷ୍ଟ ରେଞ୍ଜରେ ରବିବାର ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ଗ୍ରାମବାସୀ ମୃତଦେହ ଉଠାଇବାକୁ ଦେଇ ନ ଥିଲେ।
ପରେ ଘଟଣା ସ୍ଥଳରେ ଉତ୍ତେଜନା ଲାଗିବାରୁ କୋଇଡା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଜଙ୍ଗଲ ବିଭାଗ ପକ୍ଷରୁ ୬ ଲକ୍ଷ ଟଙ୍କା ମିଳିବା ନେଇ ପ୍ରତିଶ୍ରୁତି ପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିଲା।
ସୂଚନାଯୋଗ୍ୟ, କୋଇଡା ରେଞ୍ଜର ତେନ୍ତୁଳିଢ଼ି ଗ୍ରାମ ଅନ୍ତର୍ଗତ କାଟାସାହି ଗ୍ରାମରେ ରବିବାର ଏକ ଦନ୍ତା ପଶି ଆସିଥିଲା। ଗ୍ରାମରେ ବୁଲାବୁଲି କରୁଥିବା ବୁଲାଙ୍କୁ ଶୁଣ୍ଡରେ ଉଠାଇ ଦଳି ଚକଟି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ କୋଇଡା ରେଞ୍ଜ ଅଧିକାରୀ ଗୌତମ ପ୍ରଧାନ କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଘୋଉଡାଇ ଥିଲେ ।