ପୁରୁଷୋତ୍ତମପୁର ପଞ୍ଚାୟତସମିତି ବୈଠକ: ଉଠିଲା ଐତିହାସିକ ଜଉଗଡ଼ର ସୁରକ୍ଷା ପ୍ରସଙ୍ଗ, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ଏମ୍‌ପିଙ୍କ ଘୋଷଣା

ପୁରୁଷୋତ୍ତମପୁର, ୧୭।୧(ସୀମାଞ୍ଚଳ ମିଶ୍ର): ଦୀର୍ଘ ଏକ ବର୍ଷ ପରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ବୈଠକ ଶୁକ୍ରବାର ଅନୁଷ୍ଟିତ ହୋଇଯାଇଛି। ବିଡିଓ ମନୋଜକୁମାର ନାୟକଙ୍କ ସଂଯୋଜନାରେ ବୈଠକ ବସିଥିବା ବେଳେ ଅଧ୍ୟକ୍ଷା ପିଙ୍କି ବେହେରା ପୌରହିତ୍ୟ କରିଥିଲେ। ସେହିଭଳି ମୁଖ୍ୟ ଅତିଥି ଭାବେ ଆସିକା ଏମ୍‌ପି ଅନିତା ଶୁଭଦର୍ଶନୀ ଓ ସମ୍ମାନିତ ଅତିଥିଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠୀ,କବିସୂର୍ଯ୍ୟନଗର ବିଧାୟକଙ୍କ ପ୍ରତିନିଧି ସୀତାରାମ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରତି ଦୁଇରୁ ତିନିମାସ ମଧ୍ୟରେ ବୈଠକ କରାଯିବା ପରିବର୍ତ୍ତେ ୨୦୨୩ ଡିସେମ୍ବର ୧୩ ତାରିଖରୁ ଏହା ବନ୍ଦ ଥିଲା। ଏନେଇ ଜନପ୍ରତିନିଧିମାନେ ଅଧ୍ୟକ୍ଷା ଓ ବିଡିଓଙ୍କୁ ପ୍ରଶ୍ନ କରିବା ପରେ ହୋହଲ୍ଲା ଦେଖାଦେଇଥିଲା। ଏଥିରେ ଏମ୍‌ପି ହସ୍ତକ୍ଷେପ କରି ବୈଠକ କରା ନ ଯିବାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ନିୟମଅନୁଯାୟୀ ବୈଠକ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପୁରୁଷୋତ୍ତମପୁର ଅଞ୍ଚଳର ପ୍ରମୁଖ ଐତିହାସିକ ଜଉଗଡ ଏକ ପର୍ଯ୍ୟଟନସ୍ଥଳ ହୋଇଥିବା ବେଳେ ଏହା ଅବହେଳିତ ଅବସ୍ଥାରେ ପଡିରହିଛି। ଏହାର ବିକାଶ ଓ ପ୍ରଚାର ପ୍ରସାର ଲାଗି ୨୦୨୧ରେ ଜିଲା ପ୍ରଶାସନ ପ୍ରତି ବର୍ଷ ମହୋତ୍ସବ କରାଯିବ ବୋଲି ଘୋଷଣା କରିଥିଲା। ହେଲେ ଦୁଇ ବର୍ଷ ହେଲା କାହିଁକି ଏହା କରାଯାଉନାହିଁ ବୋଲି ଏମ୍‌ପି ପ୍ରଶ୍ନ କରିଥିଲେ। ଏପରିକି ତୁରନ୍ତ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ।

ଅପରପକ୍ଷେ ବ୍ଲକରେ ଉନ୍ନୟନ କାର୍ଯ୍ୟ ନାଁରେ ଟଙ୍କା ଆତ୍ମସାତ କରାଯାଉଥିବା, ଗତ ବୈଠକରେ ନିଷ୍ପତ୍ତି ନିଆଯାଇଥିବା କାର୍ଯ୍ୟମାନ କାହିଁକି ହୋଇନଥିବା ନେଇ ଆଛୁଲି ସରପଞ୍ଚ ସୁଧାକର ଗୌଡ ଅଭିଯୋଗ କରିଥିଲେ। ସୁନାଥର ପଞ୍ଚାୟତରେ ବଡନ୍ଧ ଓ ମଝିବନ୍ଧ ନାମରେ ପୋଖରି ନ ଥିବାବେଳେ ସେଠାରେ ହିଡରେ ଗଛ ଲଗାଇବା ନାଁରେ ଟଙ୍କା ଆତ୍ମସାତ କରାଯାଇଥିବାର ସରପଞ୍ଚ ଅନିଲ କୁମାର ନାୟକ ଅଭିଯୋଗ କରିଥିଲେ। ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳର ସମସ୍ୟାକୁ ନେଇ ଲୋକେ ଦୂଷିତପାଣି ପିଉଥିବାର ଶିକୁଳା ସମିତିସଭ୍ୟ କୁମୁଦଚନ୍ଦ୍ର ବେହେରାଙ୍କ ସମେତ ବହୁ ଜନପ୍ରତିନିଧି ଅଭିଯୋଗ ଆଣିଥିଲେ। ଏହାକୁ ନେଇ ତୁରନ୍ତ ତଦନ୍ତକରି ପଦକ୍ଷେପ ନେବାକୁ ଏମ୍‌ପି ଅନିତା ଶୁଭଦର୍ଶନୀ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ଶିକ୍ଷା ବର୍ଷରେ ପୁରୁଷୋତ୍ତମପୁର ବ୍ଲକରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାଲାଗି ଘୋଷଣା କରିଥିଲେ। ଏଥିରେ ଉପାଧ୍ୟକ୍ଷା ମମତା ବାରିକ, ଜିଲାପରିଷଦ ସଭ୍ୟ ଭଜମନ ବେହେରା, ସରପଞ୍ଚ ବିଷ୍ଣୁପ୍ରୟା ବେହେରା, ସୁଧାକର ଗୌଡ , ସବିତା ସେଠୀ, ଦାଶ ବେହେରା, ଭାସ୍କର ଦୋରା, ସମିତି ସଭ୍ୟ ସୀମାଞ୍ଚଳ ଗୌଡ,ଆଭା ପରିଡା, କୁମୁଦଚନ୍ଦ୍ର ବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।