ଆମେରିକା ପରେ ଇସ୍ରାଏଲରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ

ଜେରୁଜେଲମ,୨୨ ।୧୨: ଡରାଇଲାଣି କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ । ଆମେରିକା ପରେ ଏବେ ଇସ୍ରାଏଲରେ ଓମିକ୍ରନର ପ୍ରଥମ ମୃତ୍ୟୁ ସାମ୍ନାକୁ ଆସିଛି । ଇସ୍ରାଏଲର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସେଠାରେ ଓମିକ୍ରନରେ ସଂକ୍ରମିତ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସୋମବାର ଜଣେ ୬୦ ବର୍ଷ ବୟସ୍କ ଓମିକ୍ରନ୍ ସଂକ୍ରମିତ ବ୍ୟକ୍ତିଙ୍କର ଦକ୍ଷିଣ ସହର ବିରଶିବାର ସୋରୋକା ହସ୍ପିଟାଲରେ ମୃତ୍ୟୁ ହୋଇଛି । ଦୁଇ ସପ୍ତାହ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବ୍ୟକ୍ତି ଜଣଙ୍କ ଅନ୍ୟସ୍ୱାସ୍ଥ୍ୟ ସମସ୍ୟାରେ ବି ପୀଡ଼ିତ ଥିଲେ । ଏହାକୁ ଦେଖିବା ପରେ ଇସ୍ରାଏଲ ସରକାର ବିଦେଶରୁ ଆସୁଥିବା ବିମାନ ସେବାକୁ ବନ୍ଦ କରି ଦେବା ସହ ସାର୍ବଜନିକ ସ୍ଥାନରେ ଭିଡ ନ ଜମାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ଚଳିତ ବର୍ଷ ଇସ୍ରାଏଲ ସମ୍ପୂର୍ଣ୍ଣ ଭାବେ ଟିକାକରଣ କରିଦେଇଥିବା ଘୋଷଣା କରିଥିବା ବେଳେ ଗ୍ରୀଷ୍ମ ଋତୁ ସୁଦ୍ଧା ସମସ୍ତଙ୍କୁ ବୁଷ୍ଟର ଡୋଜ ଦେବାକୁ ପ୍ରସ୍ତୁତ ଥିଲା । ଏଠାରେ ଏବେ ୯.୩ ମିଳିୟନ ଲୋକ ରହୁଥିବା ବେଳେ ବରିଷ୍ଠ ନାଗରିକଙ୍କୁ ଚତୁର୍ଥ ବୁଷ୍ଟର ଡୋଜ ଦେବା ଯୋଜନାରେ ରହିଛି ।

Share