ଭାଜପା ପରେ ଏବେ କଂଗ୍ରେସ କରୋନା କବଳରେ

ନୂଆଦିଲ୍ଲୀ,୩।୮: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟୁଛି। ଧନୀ ହେଉ କି ଗରିବ, ଜନତା ହୁଅନ୍ତୁ କି ନେତା ମନ୍ତ୍ରୀ ସମସ୍ତେ ଏବେ କରୋନା କବଳରେ। ଇତିମଧ୍ୟରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ କରୋନାରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଆସିବା ପରେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ଏନେଇ କାର୍ତ୍ତି ଟୁଇଟରରେ ଟୁଇଟ କରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କିଛି ଦିନ ତଳେ କାର୍ତ୍ତିଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯିବାରୁ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ତେବେ ସୋମବାର ଆସିଥିବା ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଛି। ଏହାପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ଏବେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ନିକଟରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକମାନେ ନିଜର ଯାଞ୍ଚ କରାଇ ସୁରକ୍ଷା ଦୃଷ୍ଟିରୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ କାର୍ତ୍ତି ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଭାଜପାର କେତେକ ନେତାମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ଏହା କଂଗ୍ରେସକୁ ବ୍ୟାପିଛି।

Share