Categories: ଜାତୀୟ

ସକାଳୁ ସକାଳୁ ରାସ୍ତା ମଝିରେ ନେତାଙ୍କୁ ହତ୍ୟା

ଚେନ୍ନାଇ, ୧୬।୦୭: ତାମିଲ୍‌ନାଡ଼ୁ ବିଏସ୍‌ପିର ମୁଖ୍ୟଙ୍କୁ ହତ୍ୟା ପରେ ଏବେ ଆଉ ଜଣେ ନେତାଙ୍କୁ ହତ୍ୟା କରାଯାଇଛି । ମଦୁରାଇର ନାମ ତାମିଲର ପାର୍ଟିର ଜିଲ୍ଲା ଉପ-ସଚିବ ବାଲା ସୁବ୍ରମଣିୟମ୍‌ଙ୍କୁ ମଙ୍ଗଳବାର ସକାଳୁ ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଏହି ନେତା ଜଣଙ୍କ ସକାଳୁ ମର୍ଣ୍ଣିଂ ୱାକ୍‌ରେ ବାହାରି ଯାଇଥିଲେ । ଏହି ସମୟରେ କିଛି ଲୋକ ତାଙ୍କ ନିକଟକୁ ଆସି ଘେରି ଯାଇଥିଲେ ଏବଂ ନିର୍ମମ ଭାବେ ହତ୍ୟା କରିଥିଲେ ।

ପୋଲିସର ସୂଚନା ଅନୁସାରେ ଏହି ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଏନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି । ଚେକ୍କିକୁଲମ୍‌ର ବଲ୍ଲଭି ରୋଡ୍‌ରେ ଏହି ହତ୍ୟା ହୋଇଛି । ଖବର ମୁତାବକ ବାଲାସୁବ୍ରମଣିୟମ୍‌ଙ୍କୁ ୪ ଜଣ ଲୋକ ଅଟକାଇ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଘଟଣା ଘଟାଇ ସେମାନେ ଫେରାର ହୋଇଯାଇଥିଲେ । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ପାଖ ହସ୍ପିଟାଲ୍‌କୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Share