Categories: ଜାତୀୟ

ସିବିଆଇ ପରେ ଇଡି ନିଶାଣରେ ଆରଜି କର ହସ୍ପିଟାଲ, ସନ୍ଦୀପ ଘୋଷଙ୍କ ବ୍ୟତୀତ ଅନେକଙ୍କ ଉପରେ ମନି ଲଣ୍ଡ୍ରିଂ ମାମଲା ରୁଜୁ

କୋଲକାତା,୨୭।୮: କୋଲକାତାର ଆର.ଜି କର ହସ୍ପିଟାଲରେ ମନି ଲଣ୍ଡ୍ରିଂକୁ ନେଇ ଇଡି (ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ) ଏକ ମାମଲା ରୁଜୁ କରିଛି। ଏନେଇ ଏଜେନ୍ସି ତଦନ୍ତ ଆରମ୍ଭ କରିଛି। ସିବିଆଇର ଏଫଆଇଆର୍‌ ଆଧାରରେ ଇଡି ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବଂ ଅନ୍ୟମାନଙ୍କ କାର୍ଯ୍ୟକାଳ ମଧ୍ୟରେ ଟଙ୍କା ହେରଫେର ଅଭିଯୋଗରେ ମନି ଲଣ୍ଡ୍ରିଂ ମାମଲା ରୁଜୁ କରିଛି।

ଇଡି ହସ୍ପିଟାଲ ଏବଂ ମେଡିକାଲ କଲେଜ ସହ ଜଡିତ ବ୍ୟାଙ୍କିଙ୍ଗ ଏବଂ ଚିକିତ୍ସା ପାଇଁ ବ୍ୟବହୃତ ଦସ୍ତାବିଜ ସଂଗ୍ରହ କରିଛି। ତେବେ ସିବିଆଇ ଯେଉଁମାନଙ୍କ ନାଁରେ ଅଭିଯୋଗ କରିଛି ଇଡି ସେହିମାନଙ୍କ ବିରୋଧରେ ମନି ଲଣ୍ଡ୍ରିଂ ଅଭିଯୋଗ ଆଣିଛି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପଞ୍ଜୀକୃତ ହୋଇଥିବା ଏଫଆଇଆରରେ ସିବିଆଇ ଘୋଷ ଏବଂ କୋଲକାତାର ତିନୋଟି ଘରୋଇ ଅନୁଷ୍ଠାନ ବିରୋଧରେ ମାମଲା ରୁଜୁ କରିଛି।

ଏହାପୂର୍ବରୁ ରବିବାର ସିବିଆଇ ଆରଜିର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଏବଂ ଅନ୍ୟ ୧୩ ଜଣଙ୍କ ଘର ଉପରେ ଚଢାଉ କରିଥିଲା। ଡାକ୍ତରଖାନାରେ ଟଙ୍କା ହେରଫେର ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା, ସିବିଆଇ ଟିମ ଆଲିପୋର କୋର୍ଟରେ ପହଞ୍ଚିଛି। ଏପର୍ଯ୍ୟନ୍ତ ସଂଗୃହିତ ପ୍ରମାଣ ବିଷୟରେ ସିବିଆଇ ଟିମ କୋର୍ଟଙ୍କୁ ଜଣାଇଛି।

Share