କୋଭିଶିଲ୍ଡ ପରେ କୋଭାକ୍ସିନ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ, ୩।୧: ଭାରତର ଔଷଧ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ବିଶେଷଜ୍ଞ କମିଟି ଶୁକ୍ରବାର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିଶିଲ୍ଡ ଟିକାକୁ ଅନୁମୋଦନ ଲାଗି ସୁପାରିସ କରିବା ପରେ ଶନିବାର ଭାରତ ବାୟୋଟେକ୍‌ ପ୍ରସ୍ତୁତ ‘କୋଭାକ୍ସିନ୍‌’କୁ ଜରୁରୀ ବ୍ୟବହାର ଲାଗି ସବୁଜ ସଙ୍କେତ ଦେଇଛି। କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ସଂଗଠନ (ସିଡିଏସ୍‌ସିଓ)ର ସବ୍‌ଜେକ୍ଟ ଏକ୍ସପର୍ଟ କମିଟି (ଏସ୍‌ଇସି) ଶନିବାର ହାଇଦ୍ରାବାଦର ଫାର୍ମାସ୍ୟୁଟିକାଲ କମ୍ପାନୀ ଭାରତ ବାୟୋଟେକ୍‌ ପ୍ରସ୍ତୁତ କରୋନା ଟିକା କୋଭାକ୍ସିନ୍‌ର ଅତିରିକ୍ତ ତଥ୍ୟକୁ ଅନୁଧ୍ୟାନ କରିବା ପରେ ଏହାର ଜରୁରୀ ବ୍ୟବହାର ଲାଗି ମଞ୍ଜୁରୀ ଦେବାକୁ ସୁପାରିସ କରିଛି। ଏବେ ଦୁଇଟିଯାକ ଟିକା ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ଚୂଡ଼ାନ୍ତ ଅନୁମୋଦନ ଅପେକ୍ଷାରେ ରହିଛି। ଅନୁମୋଦନ ପାଇବାକୁ ଥିବା କୋଭାକ୍ସିନ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ଟିକା। ଭାରତ ବାୟୋଟେକ୍‌ ଏବଂ ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ମିଳିତ ଭାବେ ଏହି ଟିକାର ବିକାଶ କରିଛନ୍ତି। ଅନ୍ୟପକ୍ଷରେ କୋଭିଶିଲ୍ଡକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଅଷ୍ଟ୍ରାଜେନିକା ବିକଶିତ କରିଥିବାବେଳେ ପୁଣେର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ଭାରତରେ ଏହାକୁ ପ୍ରସ୍ତୁତ କରୁଛି। ଏହି ସଂସ୍ଥା କୋଭିଶିଲ୍ଡର ୫ କୋଟି ଡୋଜ୍‌ ପ୍ରସ୍ତୁତ କରିସାରିଛି। ଆମେରିକାର ଫାଇଜର ଏବଂ ଜର୍ମାନୀର ବାୟୋଏନ୍‌ଟେକ୍‌ ପ୍ରସ୍ତୁତ କୋଭିଡ୍‌ ଟିକା ପକ୍ଷରୁ ମଧ୍ୟ ଭାରତର ଅନୁମୋଦନ ପାଇଁ ଆବେଦନ କରାଯାଇଛି।

Share