ବାତ୍ୟା ପରେ ମାଡ଼ି ଆସିଲା ସମୁଦ୍ର ଜୁଆର: ବୁଡ଼ିଗଲା ସାତଭାୟା ଥଇଥାନ ସ୍ଥଳୀ ବଗପାଟିଆ

ରାଜନଗର,,୨୫ା୧୦: ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କେନ୍ଦ୍ରାପଡ଼ା ସାତଭାୟା ଅଂଚଳରେ ମାଡି ଆସିଛି ସୁଉଚ୍ଚ ସମୁଦ୍ର ଜୁଆର। ଫଳରେ ସାତଭାୟା ଥଇଥାନ ସ୍ଥଳୀ ବଗପାଟିଆରେ ପାଣି ପଶିଯାଇଛି। ସୁମଦ୍ରର ଜୁଆର ମାଡି ଆସିବାରୁ ପାଣି ଘେରରେ ୫୭୧ ପରିବାର ରହିଛନ୍ତି। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ବାତ୍ୟା ଦାନା ଲ୍ୟାଣ୍ଡଫଲ୍‌ କରିବା ପରେ ବାଲେଶ୍ୱର,ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରର ଉପକୂଳ ଅଞ୍ଚଳରେ ୮୦ ରୁ ୧୦୦ କିମି ବେଗରେ ପବନ ବହିଥିଲା।

ଫଳରେ ରାଜନଗର-ଗୁପ୍ତି, ନଳିତାପାଟିଆ-ଡାଙ୍ଗମାଳ, ରାଜନଗର-ତାଳଚୁଆ ରାସ୍ତାରେ ଗଛ ଭାଙ୍ଗି ପଡ଼ିଛି। ଭାଙ୍ଗି ଯାଇଥିବା ଗଛକୁ ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ସଙ୍ଗେ ସଙ୍ଗେ କାଟି ହଟାଇ ଦିଆଯାଇଛି। କେତେକ ସ୍ଥାନରେ କଚ୍ଚାଘର ପବନ ମାଡ଼ରେ ଶୋଇପଡ଼ିଛି। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମୁଖ୍ୟତଃ ରାଜନଗର ବ୍ଲକର ତାଳଚୁଆ, ବାଘମାରି, ରଙ୍ଗଣୀ, କୃଷ୍ଣନଗର, ଖମାରସାହି, ଡାଙ୍ଗମାଳ, ଗୁପ୍ତି, ସାତଭାୟା, ପେଣ୍ଠ ଆଦି ଅଧିକ କ୍ଷୟକ୍ଷତି ହୋଇଛି।

Share