ମହିଳାଙ୍କ ମୃତ୍ୟୁ ପରେ ବାଟରେ ଓହ୍ଲାଇ ଦେଲେ ବସ୍‌ କର୍ମଚାରୀ

ଗଞ୍ଜାମ,୨।୨(ଡି.ଏନ୍‌.ଏ.): ଭୁବନେଶ୍ୱରରୁ ବ୍ରହ୍ମପୁର ଆସୁଥିବା ଖମ୍ବେଶରୀ ନାମକ ଏକ ଘରୋଇ ବସ୍‌ରେ ବୁଧୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବସ୍‌ରେ ଯାଉଥିବା ଜଣେ ମହିଳାଙ୍କ ହଠାତ୍‌ ମୃତ୍ୟୁ ପରେ ବସ୍‌ କର୍ମଚାରୀ ତାଙ୍କୁ ମେଡିକାଲ ପଠାଇବା ପରିବର୍ତ୍ତେ ଗଞ୍ଜାମ ଜିଲା ୧୬ନମ୍ବର ଜାତୀୟ ରାଜପଥ ଶନି ମନ୍ଦିର ନିକଟରେ ଓହ୍ଲାଇ ଦେଇ ଚାଲିଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ମୁତାବକ ପୁଅ ସୁଜିତ ସ୍ବାଇଁ ଅସୁସ୍ଥ ଥିବା ମା’ଙ୍କ ଚିକିତ୍ସା ପାଇ ଭୁବନେଶ୍ୱର ଆଣିଥିଲେ। ସେଠାରୁ ଚିକିତ୍ସା ପରେ ମା’ ପୁଅ ଖମ୍ବେଶରୀ ନାମକ ଘରୋଇ ବସ୍‌ରେ ଗାଁକୁ ଫେରୁଥିଲେ। ହେଲେ ବାଟରେ ମା’ଙ୍କ ଅବସ୍ଥା ଗୁରୁତର ହୋଇପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ସୁଜିତ ବସ୍‌ କର୍ମଚାରୀଙ୍କୁ ଅବଗତ କରିଥିଲେ। ହେଲେ ବସ୍‌ କର୍ମଚାରୀ ମୃତଦେହ ଗାଁକୁ ପଠାଇବା ନେଇ କୌଣସି ବ୍ୟବସ୍ଥା ନ କରି ଅଧା ବାଟରେ ଛାଡି ଚାଲି ଯାଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ନିନ୍ଦା କରିଛନ୍ତି। ଅନ୍ୟପକ୍ଷେ ଉକ୍ତ ରସ୍ତାଦେଇ ଯାଉଥିବା ଗଞ୍ଜାମ ସହରର ଯୁବ ସ୍ବେଚ୍ଛାସେବୀ ତଥା ବିଜେଡି ଯୁବ ସଭାପତି ସୁଧିର କୁମାର ପାଢ଼ୀ ସହାୟତାର ହାତ ବଢାଇଥିଲେ। କିଛି ଆର୍ଥିକ ସହାୟତା କରିବା ସହ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହ ଗାଁକୁ ପଠାଇଥିଲେ। ସୁଜିତଙ୍କ ଘର ପାଟପୁର ଥାନା ଅଧୀନ ଗୌତମୀ ପଞ୍ଚାୟତ ପଦ୍ମତୋଳା ଗାଁ ବୋଲି ଜଣାପଡିଛି l ଅନ୍ୟପକ୍ଷେ ସୁଧୀରଙ୍କ ସହଯୋଗକୁ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି।

 

Share