Posted inଆମ ଜିଲା ଖବର, ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କୁ ପରାଜିତ କରିବା ପରେ ଭାଜପା ବିଜୟୀ ପ୍ରାର୍ଥୀ ଲକ୍ଷ୍ମଣଙ୍କ ଆସିଲା ପ୍ରତିକ୍ରିୟା
ଭୁବନେଶ୍ୱର/କଣ୍ଟାବାଞ୍ଜି,୫।୬: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ହାରି ଯାଇଛନ୍ତି। ଭାଜପା ପ୍ରାର୍ଥୀ ଲକ୍ଷ୍ମଣ ବାଗ ତାଙ୍କୁ ପରାସ୍ତ କରିଛନ୍ତି। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସମେତ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଥିଲେ। ଉଭୟ ଆସନରେ ବିଜୟୀ ହେବେ ବୋଲି ଆଶା କରାଯାଉଥିଲା। ହେଲେ କଣ୍ଟାବାଞ୍ଜିରୁ ଭାଜପା ପ୍ରାର୍ଥୀ ତାଙ୍କୁ କଡା ଟକ୍କର ଦେଇଥିଲେ। ଲକ୍ଷ୍ମଣ ୧୬,୩୨୧ ଖଣ୍ଡ ଭୋଟରେ ମୁଖ୍ୟମନ୍ତ୍ରୀଙ୍କୁ ପରାସ୍ତ କରିଛନ୍ତି। ଲକ୍ଷ୍ମଣ ବାଗ ୯୦,୫୯୦୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀ ୭୪,୨୭୩ ଖଣ୍ଡ ଭୋଟ୍ ପାଇଛନ୍ତି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ୨୬,୭୪୬ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।
ଅନ୍ୟପକ୍ଷେ ଭାଜପା ବିଜୟୀ ପ୍ରାର୍ଥୀ ଲକ୍ଷ୍ମଣ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ବିଜୟ କଣ୍ଟାବାଞ୍ଜିବାସୀଙ୍କ ବିଜୟ। ଏନେଇ ସେ କଣ୍ଟାବାଞ୍ଜିବାସୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ଓଡ଼ିଶାରେ ପ୍ରଥମ ଥର ଭାଜପା କ୍ଷମତାକୁ ଆସିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟରେ ଭାଜପା କ୍ଷମତାକୁ ଆସିବା ଦ୍ୱାରା ଓଡ଼ିଶାର ବିକାଶ ଦୁଇଗୁଣା ହେବ ବୋଲି ଲକ୍ଷ୍ମଣ କହିଛନ୍ତି।