Categories: ଜାତୀୟ

ଶାହାଙ୍କ ସହ ଆଲୋଚନା ପରେ ଗଠନ ହେଲା ୫ ଜଣିଆ କମିଟି

ନୂଆଦିଲ୍ଲୀ,୪।୧୨: ଦିଲ୍ଲୀ ସୀମାରେ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଧରି ବିକ୍ଷୋଭରତ କୃଷକମାନେ ଆନ୍ଦୋଳନରୁ ଓହରିପାରନ୍ତି। କେନ୍ଦ୍ର ସରକାର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିନେବା ପରେ କୃଷିଜାତ ସାମଗ୍ରୀଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରଦାନ ପାଇଁ ବିଚାର କରୁଥିବାରୁ ନିକଟ ଭବିଷ୍ୟତରେ ଏହି ଆନ୍ଦୋଳନର ପରିସମାପ୍ତି ଘଟିପାରେ। ଏମ୍‌ଏସ୍‌ପି ସମେତ ଅନ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌)କୁ ଶୁକ୍ରବାର ରାତିରେ ଫୋନ୍‌ କରିବା ପରେ ଶନିବାର ଚାଷୀ ନେତା ଯୁଦ୍ଧବୀର ସିଂ ଏହି ସୂଚନା ଦେଇଛନ୍ତି। ଇତିମଧ୍ୟରେ କେନ୍ଦ୍ର ସହ ଆଲୋଚନା ପାଇଁ ଏସ୍‌କେଏମ୍‌ ପକ୍ଷରୁ ଏକ ୫ ଜଣିଆ କମିଟି ଗଠନ କରାଯାଇଛି।

ଭାରତୀୟ କିଷାନ ୟୁନିୟନ୍‌ (ବିକେୟୁ) ନେତା ରାକେଶ ଟିକାଏତ୍‌ କହିଛନ୍ତି, ଏମ୍‌ଏସ୍‌ପି ସୁନିଶ୍ଚିତ କରିବା ଲାଗି ପାର୍ଲାମେଣ୍ଟରେ ଆଇନ ଆଣିବା, ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ କ୍ଷତିପୂରଣ ଦେବା ଏବଂ ବିକ୍ଷୋଭରତ ଚାଷୀଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବା ଭଳି ଦାବିଗୁଡ଼ିକୁ ନେଇ ସରକାରଙ୍କ ସହ ଆଲୋଚନା ହେବ। ଏଥିପାଇଁ ଏସ୍‌କେଏମ୍‌ ପକ୍ଷରୁ ଶନିବାର ସିଂଘୁ ସୀମାରେ ଅନୁଷ୍ଠିତ ବୈଠକରେ ଏକ କମିଟି ଗଠନ କରାଯାଇଛି। ଏଥିରେ କୃଷକ ନେତା ବଲବୀର ସିଂ ରାଜଓ୍ବୋଲ, ଅଶୋକ ଧାଓ୍ବଲେ, ଶିବ କୁମାର କକ୍କା, ଗୁର୍‌ନାମ ସିଂ ଚନ୍ଦୁନି ଓ ଯୁଦ୍ଧବୀର ସିଂଙ୍କୁ ସଦସ୍ୟ ରଖାଯାଇଛି। ଏସ୍‌କେଏମ୍‌ର ପରବର୍ତ୍ତୀ ବୈଠକ ଆସନ୍ତା ୭ ତାରିଖ ପୂର୍ବାହ୍ନ ୧୧ଟାରେ ହେବ। ଉକ୍ତ ବୈଠକରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ଅନ୍ୟପକ୍ଷେ ବୈଠକ ପରେ କୃଷକ ନେତା ଡ. ଦର୍ଶନ ପାଲ ସିଂ କହିଛନ୍ତି, ସମସ୍ତ ଚାଷୀଙ୍କ ଉପରୁ ମାମଲା ପ୍ରତ୍ୟାହାର ନେଇ କେନ୍ଦ୍ର ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏ ସିଂଘୁ ସୀମାରୁ ହଟିବାର ପ୍ରଶ୍ନ ଉଠୁନାହିଁ। ଏନେଇ ସରକାରଙ୍କୁ ସ୍ପଷ୍ଟ ସଙ୍କେତ ଦିଆଯାଇଛି। ୫ ଜଣିଆ କମିଟି ସଦସ୍ୟ ଅଶୋକ ଧାଲଓ୍ବେ କହିଛନ୍ତି, ଶହୀଦ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବା, ମିଥ୍ୟା ମାମଲା ହଟାଇବା ଏବଂ ଲଖିମପୁର ଖେରି ହିଂସା ପ୍ରସଙ୍ଗ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି।

Share