Categories: ଜାତୀୟ

ଟିନା ଡାବିଙ୍କ ପରେ ଏବେ ବିବାହ କରିବେ ଅତହର ଆମୀର, ଜାଣନ୍ତୁ କିଏ ସେ ଯୁବତୀ…

ନୂଆଦିଲ୍ଲୀ,୩।୭: ୨୦୧୫ ବ୍ୟାଚ୍‌ର ୟୁପିଏସ୍‌ସି ଟପ୍ପର ତଥା ଆଇଏଏସ୍‌ ଅଫିସର ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ତଥା ଆଇଏସ୍‌ ଅଫିସର ଅତହର ଆମୀର ଖାଁ ପୁଣି ବିବାହ କରିବାକୁ ଯାଉଛନ୍ତି। କଶ୍ମୀରର ଡାକ୍ତର ମେହେରିନ କାଜିଙ୍କୁ ସେ ବିବାହ କରିବେ। ଉଭୟଙ୍କ ନିର୍ବନ୍ଧ ସରିଥିବା ନେଇ ସେମାନେ ସୋସିଆଲ ମିଡିଆ ଜରିଆରେ ଖୁସିଖବର ସମସ୍ତଙ୍କୁ ଜଣାଇଛନ୍ତି।

୨୦୧୫ ୟୁପିଏସ୍‌ସି ପରୀକ୍ଷାରେ ଟିନା ଟପ୍ପର ହୋଇଥିବା ବେଳେ ଅତହର ଦ୍ୱିତୀୟ ର଼୍ୟାଙ୍କ ପାଇଥିଲେ। ଟ୍ରେନିଂ ବେଳେ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଥିଲେ। ଏହି ସମ୍ପର୍କ ବେଶ ଚର୍ଚ୍ଚାରେ ରହିବା ପରେ ୨୦୧୮ରେ ଦୁହେଁ ବିବାହ କରିଥିଲେ। ହେଲେ ଉଭୟଙ୍କ ବିବାହ ଅଧିକ ଦିନ ତିଷ୍ଠି ପାରି ନ ଥିଲା। ୨୦୨୦ରେ ସେମାନେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ୨୦୨୧ ଅଗଷ୍ଟରେ ଏହାକୁ ମଞ୍ଜୁରୀ ମିଳିଥିଲା। ନିକଟରେ ଅତହରଙ୍କ ପ୍ରଥମ ସ୍ତ୍ରୀ ଟିନା ରାଜସ୍ଥାନର ପ୍ରତ୍ନତତ୍ତ୍ୱ ବିଭାଗର ନିର୍ଦ୍ଦେଶକ ପ୍ରଦୀପ ଗାୱାଣ୍ଡେଙ୍କ ସହ ବିବାହ କରିଥିଲେ। ଏବେ ଅତହର ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନରେ ଆଗକୁ ବଢ଼ିବାକୁ ଯାଉଛନ୍ତି। ଅତହର ମେହେରିନଙ୍କ ନିର୍ବନ୍ଧ ସରିଥିବା ବେଳେ ଆସନ୍ତା ଅକ୍ଟୋବର ମାସରେ ଦୁହେଁ ବିବାହ କରିବେ କୁହାଯାଉଛି। ହେଲେ ଆଧିକାରିକ ଭାବେ ସେ ନେଇ କିଛି ଜଣାପଡ଼ିନାହିଁ।

ପ୍ରକାଶ ଯେ, ଅତହର ବର୍ତ୍ତମାନ ଶ୍ରୀନଗର ମ୍ୟୁନିସିପାଲିଟି କର୍ପୋରେଶନର କମିଶନର ତଥା ଶ୍ରୀନଗର ସ୍ମାର୍ଟ ସିଟି ଲିମିଟେଡର ସିଇଓ ଅଛନ୍ତି। ୨୯ ବର୍ଷୀୟ ଅତହର ମୂଳରୂପେ ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲାର ବାସିନ୍ଦା। ସେ ଆଇଆଇଟି ମାଣ୍ଡିରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ବି.ଟେକ୍‌ କରିଥିଲେ। ଏହା ପରେ ସେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି କରି କୃତକାର୍ଯ୍ୟ ହୋଇଥିଲେ। ସେହିଭଳି ମେହେରିନ ଶ୍ରୀନଗରର ଲାଲ ବଜାରର ବାସିନ୍ଦା। ସେ ଏବେ ଦିଲ୍ଲୀର ରାଜୀବ ଗାନ୍ଧୀ କ୍ୟାନ୍‌ସର ପ୍ରତିଷ୍ଠାନ ଏବଂ ଅନୁସନ୍ଧାନ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି। ସେ ଜଣେ ଡାକ୍ତର ହେବା ସହ ଫ୍ୟାଶନଜଗତ ସହ ଜଡ଼ିତ। ମହିଳାମାନଙ୍କ ସହ ଜଡ଼ତ ବ୍ରାଣ୍ଡକୁ ସେ ପ୍ରମୋଟ୍‌ କରିଥାନ୍ତି। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୨ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। କଥିତ ଭାବେ ସେ ଦୀର୍ଘଦିନରୁ ଅତହରଙ୍କୁ ଡେଟ୍‌ କରି ଆସୁଥିଲେ।

Share