ରାଉରକେଲା ଅଫିସ,୪।୩: ରାଉରକେଲା ବାସନ୍ତୀ କଲୋନୀ ଡିଏଭି ପଡିଆରେ ଗତ ଫେବୃଆରୀ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ପରିଷଦ ପକ୍ଷରୁ ରାଜସ୍ଥାନ ମେଳା ଅନୁଷ୍ଠିତ ହୋଇଥିଲା। ଏହି ମେଳା ଶେଷ ହେବାର ୪ ଦିନ ବିତିଯାଇଥିଲେ ମଧ୍ୟ ଡିଏଭି ପଡିଆକୁ ସଫେଇ କରାଯାଇନାହିଁ। ଡିଏଭି ପଡିଆରେ ପ୍ରତିଦିନ ଶହ ଶହ ପିଲା ଖେଳକୁଦ କରନ୍ତି। ଏହି ପଡିଆ ଅପରିଷ୍କାର ହୋଇ ପଡିଥିବାବେଳେ ବିଭିନ୍ନ ସ୍ଥାନରେ ବାଉଁଶ ପୋତି ପଡିଆ ଗର୍ତ୍ତ ସୃଷ୍ଟି ହୋଇଛି। ପଡିଆର ଚାରିପଟେ ଇଟାଖଣ୍ଡ ସାଙ୍ଗକୁ ବିଭିନ୍ନ ପ୍ରକାର ଅଇଁଠାପତ୍ର, ଜରି, କାଗଜ, ପ୍ଲାଷ୍ଟିକ ବୋତଲ ପଡିରହିଛି। ଡିଏଭି ପଡିଆର ଏଭଳି ଅସ୍ବାସ୍ଥ୍ୟକର ପରିବେଶରେ କ୍ରୀଡ଼ାବିତ୍ମାନେ ଖେଳକୁଦ କରିବା ପାଇଁ ହଇରାଣ ହେଉଛନ୍ତି। ଏ ନେଇ ରାଜସ୍ଥାନ ପରିଷଦର ସଭାପତି ଶୈଳେନ୍ଦ୍ର ଗରଡିଆଙ୍କୁ ପଚାରିବାରୁ ପଡିଆର ସ୍ବଚ୍ଛତା ପାଇଁ ଆମେ ଆର୍ଏମ୍ସିକୁ ଅବଗତ କରିଛୁ। ଖୁବଶୀଘ୍ର ଏହି ପଡିଆ ଦୁଇଦିନ ଭିତରେ ସଫେଇ ହୋଇଯିବ ବୋଲି ସେ କହିଥିଲେ।