ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ତୋରସିଂହ ପଞ୍ଚାୟତ ଅଧୀନସ୍ଥ ରୁଆପଡ଼ା ଗାଁରେ ମୋ ଜନ୍ମ। ନରେନ୍ଦ୍ରପୁର ଉଚ୍ଚବିଦ୍ୟାଳୟରୁ ୧୯୯୫ରେ ଦଶମ ପାସ୍ କରି ବାଣପୁରରେ ଥିବା ମାମୁ ଘରେ ରହି ଗୋଦାବରୀଶ ମହାବିଦ୍ୟାଳୟରେ ପଢ଼ିଥିଲି। ସେଠାରୁ ସଂସ୍କୃତ ସମ୍ମାନରେ ସ୍ନାତକ ପଢ଼ା ସରିବା ପରେ ବାଣୀବିହାରରେ ସ୍ନାତକୋତ୍ତର କରିବାକୁ ମନରେ ଇଚ୍ଛା ରଖିଥିଲି। କିନ୍ତୁ ମା’ଙ୍କ ଦେହ ଖରାପ ଓ ଆର୍ଥିକ ଦୁରବସ୍ଥା ହେତୁ ପାଠପଢ଼ାରେ ଡୋରି ବାନ୍ଧି ବାଧ୍ୟ ହୋଇ କର୍ମ ନିଯୁକ୍ତି ଆଡ଼କୁ ମନ ବଳାଇଲି। ସେତେବେଳେ ବାଲୁଗାଁରେ ନୂଆକରି ଏକ ଆଇ.ଟି. ସେଣ୍ଟର ଖୋଲିଥାଏ। କୋର୍ସ କୋ-ଅର୍ଡିନେଟର୍ ପୋଷ୍ଟ ଖାଲିଥାଏ। କିନ୍ତୁ ମୋତେ କମ୍ପ୍ୟୁଟରର ‘କ’ ଅକ୍ଷର ବି ଜଣା ନ ଥାଏ। ହେଲେ ଦୃଢ଼ ବିଶ୍ୱାସ ଥାଏ ଯେ, ମୁଁ ଚାହିଁଲେ ସବୁ କରିପାରିବି। ସେୟା ହିଁ ହେଲା। ଅନୁଷ୍ଠାନର ଏମ.ଡି. ମୋର ଦୃଢ଼ ବିଶ୍ବାସ ଓ ସ୍ପଷ୍ଟବାଦିତାକୁ ଦେଖି ୧୮ ଜଣଙ୍କ ମଧ୍ୟରୁ ମୋତେ ହିଁ ଚୟନ କରିଥିଲେ। ଖୁବ୍ ଅଳ୍ପ ଦିନରେ ନିଜେ ସମସ୍ତ କୋର୍ସକୁ କରାୟତ୍ତ କରିନେଇ ପରେ ଶିକ୍ଷାଗ୍ରହଣ ପାଇଁ ଆସୁଥିବା ଛାତ୍ରୀଛାତ୍ରଙ୍କୁ ପଢ଼ାଇବାକୁ ଲାଗିଲି। ଏକ ପାରିବାରିକ ମାହୋଲ ଭିତରେ ଗୋଟିଏ ମାସ କେମିତି ବିତିଗଲା ଜାଣିପାରିଲିନି। ମାସ ଶେଷରେ ୧୫୦୦ ଟଙ୍କା ମିଳିଲା। ଖୁସିରେ ମୋ ପାଦ ତଳେ ଲାଗୁ ନ ଥିଲା। ଆଇ.ଟି. ସେଣ୍ଟରରୁ ମାମୁଘର ଥିଲା ଦୀର୍ଘ ୯ କି.ମି. ଦୂର। ପ୍ରତିଦିନ ସାଇକେଲ୍ରେ ଯା’ଆସ କରେ, ଭାରି କଷ୍ଟ ହୁଏ। ହେଲେ ସେଦିନ ଦରମା ପାଇବା ପରେ କେମିତି ୯ କି.ମି.ର ରାସ୍ତାକୁ ମୁଁ ଅତିକ୍ରମ କରି ମାମୁ ଗାଁରେ ପହଞ୍ଚତ୍ଗଲି ଜାଣିପାରିଲିନି। କିନ୍ତୁ ଘରକୁ ନ ଯାଇ ସିଧା ଭଗବତୀଙ୍କ ମନ୍ଦିରକୁ ଚାଲିଗଲି। ଦୀପ, ଭୋଗ କିଛି ନ କିଣି ସେଦିନ ମନ୍ଦିର ବେଢ଼ାରେ ଖୁଣ୍ଟକୁ ଆଉଜି ବସିଲି। କାରଣ ମୋ ଭିତରେ ଗୋଟିଏ ଭାବନା ରହିଛି ଯେ, ଭଗବାନ! ଯିଏ ସ୍ବୟଂ ଜ୍ୟୋତି ସ୍ବରୂପ, ତାଙ୍କ ପାଖରେ ଦୀପଟିଏ ଦେଇ ମୁଁ ତାଙ୍କର ଅପମାନ କରୁନି ତ। ସେଥିପାଇଁ ଖୁଣ୍ଟକୁ ଆଉଜି ମା’ଙ୍କୁ ମନରୁ କୃତଜ୍ଞତା ଜଣାଉଥିଲି। ଆଖିରୁ ଧାର ଧାର ହୋଇ ଲୁହ ବୋହିଯାଉଥିଲା। ସାଷ୍ଟାଙ୍ଗ ହୋଇ ପ୍ରଣାମଟିଏ କରି ଘରକୁ ଫେରିଲି। ପରଦିନ ଅଫିସରୁ ଫେରିଲାବେଳେ ଆଈ ପସନ୍ଦର ବଡ଼ ବଡ଼ ଚିଙ୍ଗୁଡ଼ି ବାଲୁଗାଁରୁ ୬ କେଜି କିଣିଲି। ୨କେଜି ମାମୁଘର ପାଇଁ ଆଉ ୪କେଜି ଆମ ଘର ପାଇଁ। କାରଣ ଆମ ଗାଁରେ ସେଦିନ ଆଶ୍ୱିନ ମାସ ଯୋଗୁଁ ଗ୍ରାମଦେବୀଙ୍କ ପାଖରେ ଷୋଳ ପର୍ବ ହେଉଥାଏ। ଚିଙ୍ଗୁଡ଼ି ପକାଇ ଏକ ଘାଣ୍ଟ ହେବ। ବାସ୍! ସେହି ଆଶା ନେଇ ଚିଙ୍ଗୁଡ଼ି ଧରି ଗାଁରେ ପହଞ୍ଚତ୍ଗଲି। ଏମିତି ଭାବେ ପ୍ରଥମ ଦରମାଟି ଖର୍ଚ୍ଚ କରିଥିଲି। ତେବେ ଆଇ.ଟି. ସେଣ୍ଟରରେ କିଛିଦିନ କାମ କରିବା ପରେ କୋରାପୁଟରେ ଥିବା ମାମୁଙ୍କ ପାଖକୁ ଗଲି ସେଠାକାର ଏକ ଏନ୍ଜିଓ ସଂସ୍ଥାରେ କାମ କରିବାକୁ। ହେଲେ ମାମୁ ରାଜି ନ ହେବାରୁ ସୁନାବେଡ଼ା ଏରୋନଟିକ୍ସ ଗାଲର୍ସ ହାଇସ୍କୁଲ୍ରେ କମ୍ପ୍ୟୁଟର୍ ଫାକଲ୍ଟି ଭାବେ କିଛିଦିନ କାମ କଲି ଆଉ ତା’ପରେ ଜୟପୁରସ୍ଥିତ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ସଂସ୍କୃତ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇଥିଲି। ତା’ପରେ ମୋ ବାହାଘର ହେଲା। ଶାଶୁଘର ଜୟପୁରରେ ହୋଇଥିବାରୁ ପରେ ସ୍ବାମୀଙ୍କ ସହାୟତାରେ ସେଠାରେ ଏକ ବିଦ୍ୟାଳୟ ଖୋଲିଲି, ଯାହାର ନାଁ ହେଲା ସାରସ୍ବତ ବାଲ୍ ମନ୍ଦିର। ଅବଶ୍ୟ ତା’ରି ଭିତରେ ମୁଁ ବି.ଏଡ୍. କରିଦେଇଥିଲି; ଯେଉଁଥିପାଇଁ ୨୦୧୮ରେ ମୋତେ କନିଷ୍ଠ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀ ଭାବେ କୁନ୍ଦୁରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ମିଳିଗଲା, ଯେଉଁଠାରେ ଏବେ ବି ମୁଁ କାର୍ଯ୍ୟରତ। କେବଳ ଏତିକି ନୁହେଁ ଶିଶୁ କବିତା, ଛନ୍ଦ କବିତା ଓ ଗପ ଲେଖିବାରେ ମଧ୍ୟ ମୋର ଖୁବ୍ ରୁଚି ରହିଛି। ଏଥିସହିତ ମୁଁ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ଜୟପୁର ଆକାଶବାଣୀର ସାମୟିକ ଉପସ୍ଥାପିକା ଭାବେ ବି କାର୍ଯ୍ୟ କରିଛି। ଏହାଛଡ଼ା ମଞ୍ଚ ପରିଚାଳନା କରିବାରେ ବି ମୋତେ ଅନେକ ସମ୍ମାନ ମିଳିଛି। ସେହିପରି ‘ମାଟି ଓ ମା’ ଏବଂ ‘ବଡ଼ାଛତୁ’ ନାମକ ଦୁଇଟି କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କର ବହୁ ପ୍ରଶଂସା ମଧ୍ୟ ଲଭିଛି। କେବଳ ଭଗବାନଙ୍କ ଆଶୀର୍ବାଦରୁ ଏସବୁ ସମ୍ଭବ ହୋଇପାରିଥିବାରୁ ମୁଁ ତାଙ୍କ ପାଖେ ଖୁବ୍ କୃତଜ୍ଞ।