ଅରୁଆ କଲେ ଏଫ୍‌ସିଆଇ ନେବ ବଳକା ଚାଉଳ

ଭୁବନେଶ୍ୱର,୭ା୮(ଅନିଲ ଦାସ): ଇଥାନଲ ଉତ୍ପାଦନ ପାଇଁ ଅରୁଆ ଚାଉଳ ଆବଶ୍ୟକ। ଏହି ଚାଉଳ ଯୋଗାଡ଼ରେ ଲାଗିଛି ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ)। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଥିବା ଇଥାନଲ କାରଖାନାକୁ ଅରୁଆ ଚାଉଳ ଯୋଗାଣ କରିବାକୁ ଏଫ୍‌ସିଆଇ ଓଡ଼ିଶାରୁ ଆସନ୍ତା ଅକ୍ଟୋବର ମଧ୍ୟରେ ୨.୫ ଲକ୍ଷ ମେଟ୍ରିକ ଟନ୍‌ ଅରୁଆ ଚାଉଳ ସଂଗ୍ରହ କରିବ। ଏ ନେଇ ନିକଟରେ ଓଡ଼ିଶାରେ ଥିବା ସମ୍ବଲପୁର, ଟିଟିଲାଗଡ଼, ଜୟପୁର, ବ୍ରହ୍ମପୁର, କଟକ, ବାଲେଶ୍ୱର ଏବଂ ଭୁବନେଶ୍ୱର ଏଫ୍‌ସିଆଇ ଶାଖାର ଡିଭିଜନାଲ ମ୍ୟାନେଜରଙ୍କୁ ଏଫ୍‌ସିଆଇ ଚିଠି ଲେଖିଛି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ମଧ୍ୟ ଏଫ୍‌ସିଆଇ ଚିଠି ଲେଖିଛି। ତେବେ ଏଠି କଥା ଉଠୁଛି ଯେ, ଓଡ଼ିଶାରେ ଅରୁଆ ଚାଉଳ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ। ରାଜ୍ୟରେ ଯେଉଁ ଚାଉଳ ମିଲ୍‌ ରହିଛି, ସେ ସବୁ ଉଷୁନା ଚାଉଳ ପ୍ରସ୍ତୁତ କରୁଛନ୍ତି। ଅରୁଆ ଚାଉଳ କରିବାକୁ ହେଲେ ମିଲରମାନଙ୍କୁ ଆହୁରି ୧୦ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହା ସମୟସାପେକ୍ଷ ଓ ବ୍ୟୟବହୁଳ ହୋଇଥିବାରୁ ମିଲର ମଧ୍ୟ ଅମଙ୍ଗ ହେଉଛନ୍ତି। ରାଜ୍ୟର ବଳକା ଉଷୁନା ଚାଉଳକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି।
ରାଜ୍ୟରେ ୨୦୨୨-୨୩ ଆର୍ଥିକ ବର୍ଷରେ ଖରିଫ ଋତୁରେ ୪୪ ଲକ୍ଷ ଟନ ଉଷୁନା ଚାଉଳ ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ୨୪ ଲକ୍ଷ ମେଟ୍ରିକ ଟନ ଖାଦ୍ୟ ସୁରକ୍ଷା ଯୋଜନା ଓ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନାରେ ପ୍ରଦାନ କରାଯାଉଛି। ପ୍ରାୟ ୨୦ ଲକ୍ଷ ମେଟ୍ରିକ ଟନ ଚାଉଳ ବଳକା ରହିଯାଉଛି। ଏହି ଚାଉଳକୁ ଏଫ୍‌ସିଆଇ ନେଉ ନ ଥିବାରୁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Share