Categories: ଜାତୀୟ

ହରିୟାଣା ପରାଜୟ ପରେ କଂଗ୍ରେସକୁ ଆଖି ଦେଖାଇଲେ ଅଖିଳେଶ, ମହାରାଷ୍ଟ୍ରକୁ ନେଇ କରିଦେଲେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୧୧।୧୦: ହରିୟାଣା ନିର୍ବାଚନ ପରେ କଂଗ୍ରେସରେ ଅନ୍ତକନ୍ଦଳ ଆହୁରି ବଢିଥିବାର ଦେଖାଦେଇଛି। ଯାହାଯୋଗୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହାକୁ ଟାର୍ଗେଟ କରିଛନ୍ତି। ଶିବସେନା ଏବଂ ଏନସିପି ପରେ ଏସପି ମହାରାଷ୍ଟ୍ରରେ କଂଗ୍ରେସ ଉପରେ ଚାପ ପକାଇବା ଆରମ୍ଭ କରିଛି। ସମାଜବାଦୀ ପାର୍ଟି ମହାରାଷ୍ଟ୍ରରେ କଂଗ୍ରେସ ସହ ମେଣ୍ଟ କରିବାକୁ ଚାହୁଁଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ୧୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି।

ସମାଜବାଦୀ ପାର୍ଟି ମହାରାଷ୍ଟ୍ରର ୧୨ଟି ବିଧାନସଭା ଆସନ ଚୟନ କରି ଏହି ତାଲିକା କଂଗ୍ରେସକୁ ପଠାଇଛି। ମେଣ୍ଟ ନ ହେଲେ ଏସପି ମହାରାଷ୍ଟ୍ରରେ ଏକାକୀ ଲଢିବ ବୋଲି ମଧ୍ୟ ଶୁଣାଇ ଦେଇଛି। ମଧ୍ୟପ୍ରଦେଶ ଏବଂ ହରିୟାଣାରେ ଏସପି ମେଣ୍ଟ କରିବାକୁ ଚାହୁଁଥିଲେ। ହେଲେ ଉଭୟ ରାଜ୍ୟରେ ସମାଜବାଦୀ ପାର୍ଟିକୁ କଂଗ୍ରେସ ଗୁରୁତ୍ୱ ଦେଇ ନଥିଲା। ଉଭୟ ରାଜ୍ୟର ଫଳାଫଳ ପରେ ମହାରାଷ୍ଟ୍ରକୁ ଅସନ୍ତୁଷ୍ଟ ନ କରିବାକୁ ଏସପି ନିଷ୍ପତ୍ତି ନେଇଛି।

ହରିୟାଣାରେ ପରାଜୟ ପରେ ମହାରାଷ୍ଟ୍ରରେ କଂଗ୍ରେସକୁ ସାହସର ସହିତ ଆଗକୁ ବଢିବାକୁ ପଡିବ। ହରିୟାଣାରେ କେବଳ କଂଗ୍ରେସ ଦଳ ୮୯ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। କିନ୍ତୁ ତାକୁ ପରାଜୟର ସାମ୍ନା କରିବାକୁ ପଡିଲା। ୧୦ ବର୍ଷ ପରେ ହରିୟାଣାରେ କଂଗ୍ରେସ ସରକାର କରିବ ବୋଲି ସମ୍ଭାବନା ଥିଲା କିନ୍ତୁ ଏହା ହୋଇ ନାହିଁ। ବର୍ତ୍ତମାନ ଏବେ ମହାରାଷ୍ଟ୍ର ପାଳି। ମହାରାଷ୍ଟ୍ରରେ ଶିବସେନା ଉଦ୍ଧବ ଦଳ ଏବଂ ଏନସିପି ଶରଦ ପାୱାର ଦଳ ସହ କଂଗ୍ରେସର ଏକ ମେଣ୍ଟ ରହିଛି।

ଏଭଳି ପରିସ୍ଥିତିରେ କଂଗ୍ରେସ ସେହି ୧୨ଟି ଆସନ ଏସପିଙ୍କୁ ଦେଉଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା। ହରିୟାଣାରେ ପରାଜୟ ପରେ ଇଣ୍ଡିଆ ମେଣ୍ଟ କଂଗ୍ରେସକୁ ଯେପରି ଟାର୍ଗେଟ କରୁଛି। ଏହା ସ୍ପଷ୍ଟ ଭାବେ ଦର୍ଶାଉଛି କେଉଁଠି ନା କେଉଁଠି ସହଯୋଗୀମାନେ କଂଗ୍ରେସ ଉପରେ ରାଗିଛନ୍ତି।

Share