ସ୍ବାମୀଙ୍କୁ ହତ୍ୟା ପରେ ଗୁଗଲରେ ଧନୀଙ୍କ ପାଇଁ ବିଳାସପୂର୍ଣ୍ଣ ଜେଲ ଖୋଜିଲେ

ଓ୍ବାଶିଂଟନ୍‌,୧୪ା୬: ଆମେରିକୀୟ ମହିଳା କୋଉରି ରିଚିନ୍ସଙ୍କ ବିରୋଧରେ ସ୍ବାମୀ ହତ୍ୟା ଅଭିଯୋଗ ରହିଛି। ୩୩ ବର୍ଷୀୟା କୋଉରି ହେଉଛନ୍ତି ୩ ସନ୍ତାନଙ୍କ ଜନନୀ ଏବଂ ଜଣେ ଲେଖିକା। ୨୦୨୨ ମାର୍ଚ୍ଚରେ ସେ ନିଜ ସ୍ବାମୀ ଏରିକ୍‌ ରିଚିନ୍ସଙ୍କୁ ମାତ୍ରାଧିକ ଫେଣ୍ଟାନିଲ (ମସ୍ତିଷ୍କ ଯନ୍ତ୍ରଣା ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧ) ଦେଇଥିଲେ। ଫଳରେ ବିଷକ୍ରିୟାରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ତଦନ୍ତକାରୀ ଅଧିକାରୀମାନେ କୋଉରିଙ୍କ ଗୁଗଲ ହିଷ୍ଟ୍ରି ସର୍ଚ୍ଚ କରିଥିଲେ। ସେ ଇଣ୍ଟରନେଟ୍‌ରେ ଉଟାହ କାରାଗାର ଏବଂ ଆମେରିକାରେ ଧନୀମାନଙ୍କ ପାଇଁ ଉଦ୍ଦିଷ୍ଟ ବିଳାସପୂର୍ଣ୍ଣ ଜେଲଗୁଡ଼ିକ ସମ୍ପର୍କରେ ତଥ୍ୟ ଖୋଜିଥିଲେ। ତଦନ୍ତକାରୀମାନେ ଡିଲିଟେଡ୍‌ ମେସେଜ୍‌ଗୁଡ଼ିକୁ ଦେଖିପାରିବେ କି ନାହିଁ, ବୀମା କମ୍ପାନୀଗୁଡ଼ିକ ଦାବିଦାରଙ୍କୁ ଅର୍ଥ ପ୍ରଦାନ କରିବାରେ କେତେ ସମୟ ନେଇଥାଆନ୍ତି, ପୋଲିସ ଲାଏ ଡିଟେକ୍ଟର ଟେଷ୍ଟ ପାଇଁ ବାଧ୍ୟ କରିପାରିବ କି ଏବଂ ହେଥ୍‌ ସାର୍ଟିଫିକେଟ୍‌ରେ ମୃତ୍ୟୁର କାରଣ ବଦଳାଯାଇପାରିବ କି ଭଳି ପ୍ରଶ୍ନର ଉତ୍ତର ମଧ୍ୟ ସେ ଓ୍ବେବ୍‌ରେ ସର୍ଚ୍ଚ କରିଥିଲେ। ସୋମବାର ତାଙ୍କୁ ଏକ କୋର୍ଟରେ ହାଜର କରାଯାଇଥିବାବେଳେ ଗୁଗଲରେ ସେ ସର୍ଚ୍ଚ କରିଥିବା ଏହିସବୁ ବିଷୟ ସାମ୍ନାକୁ ଆସିଥିଲା। ବିଚାରପତି ଏହାକୁ ସମାଜ ପ୍ରତି ଏକ ‘ବଡ଼ ବିପଦ’ ଭାବେ ଅଭିହିତ କରି କୋଉରିଙ୍କୁ ଜେଲରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share