ହଲ୍ଦାନୀ, ୪।୮: ଉତ୍ତରାଖଣ୍ଡର ହଲ୍ଦାନୀ ସହରରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କରୋନା ଭାଇରସ୍ ଦ୍ୱାରା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯିବା ପରେ ତାଙ୍କ ସ୍ତ୍ରୀ ମିୟମ୍ରାଣ ହୋଇ ଭାଙ୍ଗି ପଡ଼ିଥିଲେ। ଏହାପରେ ମହିଳା ଜଣଙ୍କ ୩ ଝିଅଙ୍କୁ ବିଷ ଖୁଆଇବା ପରେ ନିଜେ ମଧ୍ୟ ବିଷ ପିଇଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କ ସମେତ ୩ ଝିଅ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ସ୍ଥାନୀୟ ପୋଲିସର କହିବାନୁଯାୟୀ, ମଲ୍ଲା ବୁରା ଖାମ୍ କାଠଗୋଦାବ ନିବାସୀ ୪୦ ବର୍ଷୀୟ ଲଳିତ କନୌଜିଆ ତାଙ୍କ ସ୍ତ୍ରୀ ଲଳିତା ଓ ୩ ଝିଅଙ୍କ ସମେତ ରୁହନ୍ତି। ଗତକାଲି ଲଳିତ ହାର୍ଟ ଆଟାକ୍ରେ ପ୍ରାଣ ହରାଇଥିଲେ। ଏହାପରେ ଯାଞ୍ଚରୁ ଜଣାପଡ଼ିଲା ଯେ ଲଳିତ କରୋନା ଆକ୍ରାନ୍ତ ହୋଇଥିଲେ। ଲଳିତ୍ଙ୍କ ମୃତ୍ୟୁରେ ତାଙ୍କ ସ୍ତ୍ରୀ ଲଳିତା ଭାଙ୍ଗି ପଡ଼ିଥିଲେ। ସ୍ବାମୀଙ୍କ ଅକାଳ ବିୟୋଗକୁ ସହ୍ୟ କରି ନ ପାରି ଲଳିତା ଏକ ଚରମ ପଦକ୍ଷେପ ଉଠାଇଥିଲେ। ସେ ୩ ଝିଅଙ୍କୁ ବିଷପାନ କରାଇବା ସହିତ ନିଜେ ମଧ୍ୟ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଏବେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏସ୍ପି ସୁନୀଲ କୁମାର ମୀନା ଘଟଣାର ତଦନ୍ତ କରୁଛନ୍ତି।