
ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ): କୋଶଲ ପ୍ରସଙ୍ଗରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଶନିବାର ବୟାନ ଦେବା ପରେ କୋଶଲ ଆନ୍ଦୋଳନ ତେଜି ଉଠିଛି। ସୋମବାରସନ୍ଧ୍ୟାରେ କୋଶଲ ସେନାର ସଂଗ୍ରାମୀମାନେ ବରଗଡ଼ ଗାନ୍ଧୀଛକରେ ସମବେତ ହୋଇଥିଲେ। ଜୟନାରାୟଣଙ୍କ ବୟାନକୁ ସେମାନେ ସମର୍ଥନ କରିଥିଲେ।
ଏହା ସହିତ ବନ୍ଦେ ଉତ୍କଳ ଜନନୀକୁ ବିରୋଧ କରିଥିଲେ। ଏହି କ୍ରମରେ କୋଶଲ ସଂଗ୍ରାମୀମାନେ ବନ୍ଦେ ଉତ୍କଳ ଜନନୀ ଲେଖାଥିବା ବ୍ୟାନର ଜାଳିଥିଲେ ଏବଂ ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବି କରିଥିଲେ।
ପଶ୍ଚିମ ଓଡ଼ିଶାର ସମସ୍ତ ବିଧାୟକ ସ୍ବର ଉଠାଇବା ପାଇଁ ସେମାନେ ଆହ୍ବାନ କରିଥିଲେ। କୋଶଲ ସେନାର ବିରବଲ ମହାକୁଡ, ଅଶୋକ ଛତର ପ୍ରମୁଖ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପ୍ରକାଶ ଥାଉକି, ଶନିବାର ସମ୍ବଲପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡିଶାରେ ମିଶିବା ଐତିହାସିକ ଭୁଲ ଥିଲା ବୋଲି ଜୟନାରାୟଣ କହିଥିଲେ।