ବିଜେଡିରେ ଯୋଗଦେବା ପରେ ମା’ ତାରାତାରିଣୀଙ୍କ ଆଶିଷ ନେଲେ ଭି.କେ ପାଣ୍ଡିଆନ

ପୁରୁଷୋତ୍ତମପୁର,୨୭।୧୧(ସିମାଞ୍ଚଳ ମିଶ୍ର): ଅବସରପ୍ରାପ୍ତ ଆଇଏଏସ ତଥା ୫ଟି-ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ସୋମବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଜଦରେ ସାମିଲ ହୋଇଛନ୍ତି। ବିଜେଡିରେ ଯୋଗ ଦେବା ପରେ ସେ ପ୍ରଥମକରି ଗଞ୍ଜାମ ଜିଲାର ପ୍ରତ୍ୟକ୍ଷ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପିଠକୁ ଆସି ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଆଶିର୍ବାଦ ଭିକ୍ଷା କରି ଓଡିଶାବାସୀଙ୍କ ମଙ୍ଗଳ କାମନା କରିଛନ୍ତିା

ପୂର୍ବରୁ ଗଞ୍ଜାମ ଜିଲାପାଳ ଭାବେ ପାଣ୍ଡିଆନ ୪ ବର୍ଷ କାମ କରିଛନ୍ତି। ଏବେ ପ୍ରଶାସନିକ ସେବାରୁ ସ୍ବେଛାକୃତ ଭାବେ ନିବୃତ ହେବା ରାଜନୀତିରେ ପାଦ ଦେଇଛନ୍ତି ପାଣ୍ଡିଆନ। ରାଜନୀତିରେ ସାମିଲ ହେବା ପରେ ଦଳ ଭିତରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଉଛି। ”ସେ ଅନେକ ବର୍ଷ ହେବ ରାଜ୍ୟ ପାଇଁ କଠିନ ପରିଶ୍ରମ କରୁଛନ୍ତି। ସେ ଦଳରେ ଜଣେ ସଦସ୍ୟ ଭାବେ ତାହା ଜାରି ରଖିବେ। ମୁଁ ତାଙ୍କୁ ଶୂୁଭେଚ୍ଛା ଜଣାଉଛି” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ବିଜେଡିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ପାଣ୍ଡିଆନ୍‌ ଆଜି ନବୀନ ନିବାସରେ ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ। ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରତାପ ଦେବ, ସ୍ନେହାଙ୍ଗିନୀ ଛୁରିଆ, ଉଷା ଦେବୀ, ବାସନ୍ତୀ ହେମ୍ବ୍ରମ, ମାନସ ମଙ୍ଗରାଜ, ସମୀର ଦାଶ, କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଣବ ପ୍ରକାଶ ଦାସ ପାଣ୍ଡିଆନ୍‌ଙ୍କୁ ଶଙ୍ଖ ବ୍ୟାଚ୍‌ ପିନ୍ଧାଇଥିଲେ। ବିଜେଡିରେ ମିଶିବା ପରେ ପାଣ୍ଡିଆନ୍‌ ଶଙ୍ଖ ଭବନରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି।
ଗତ ଅକ୍ଟୋବର ୨୩ତାରିଖରେ ଭିକେ ପାଣ୍ଡିଆନ ସର୍ବଭାରତୀୟ ପ୍ରଶାସନିକ ସେବା ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏହାପରେ ତାଙ୍କୁ ୫ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା।

Share