ଅପହରଣ ପରେ ଯୁବକଙ୍କୁ ହତ୍ୟା

କୋଦଳା/କବିସୂର୍ଯ୍ୟନଗର,୮ା୧୦(ଅମିତ କୁମାର ପଟ୍ଟନାୟକ/କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କୋଦଳା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ତିନିଦିନ ପରେ ରବିବାର ସାତନଳ-ବେରୁଆଁବାଡି ନୁଦୁବୁଦି ନାଳ ନିକଟସ୍ଥ ଏକ ବୁଦା ନିକଟରୁ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତ ଯୁବକ ହେଲେ କବିସୂର୍ଯ୍ୟନଗର ଥାନା କେ. ଝରିଡ଼ା ଗ୍ରାମର ଦିପୁ ପାତ୍ର। ପୋଲିସ ସହ ସାଇଣ୍ଟିଫିକ୍‌ ଟିମ୍‌ ସହ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଦିପୁ କୋଦଳା କୋର୍ଟରୁ ବାଇକ୍‌ରେ ଫେରୁଥିବା ବେଳେ ଦିନ ପ୍ରାୟ ୧୨ଟା ସମୟରେ ଛଚିନା ଛକଠାରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଅପହରଣ କରିନେଇଥିଲେ। ପରେ ତାଙ୍କୁ ମାଡ଼ ମାରୁଥିବାର ଭିଡିଓ କଲ୍‌ କରି ତାଙ୍କ ମା’ଙ୍କୁ ଦେଖାଇଥିଲେ। ଏ ନେଇ ଦପୁଙ୍କ ମା’ ଅଲେଖା ପାତ୍ର କୋଦଳା ଥାନାରେ ଅଭିଯୋଗ କରିଥିଲେ। ପୁଣି ଶନିବାର ପରିବାର ଲୋକେ ଗଞ୍ଜାମ ଏସ୍‌ପିଙ୍କୁ ସାକ୍ଷାତ କରି ସବୁକଥା କହିଥିଲେ। ଏକ ସ୍ବତନ୍ତ୍ର ଟିମ୍‌ କରାଯାଇ ଘଟଣାର ତଦନ୍ତ କରାଯିବ ବୋଲି ଏସ୍‌ପି ପ୍ରତିଶ୍ରୁତି ଦେଇଥିଲେ। ତେବେ ରବିବାର ସାତନଳ-ବେରୁଆଁବାଡି ନୁଦୁବୁଦି ନାଳ ନିକଟସ୍ଥ ଏକ ବୁଦା ନିକଟରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ଏକ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୁରୁଷୋତ୍ତମପୁର ଏସ୍‌ଡିପିଓ ରଜନୀକାନ୍ତ ସାମଲ, କୋଦଳା ଆଇଆଇସି ଉମାକାନ୍ତ ସାହୁ, କବିସୂର୍ଯ୍ୟନଗର ଆଇଆଇସି ପ୍ରଭାତ ସାହୁ ଓ ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରି ଜବତ କରିଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ମାରଣାସ୍ତ୍ରରେ ହଣାଯାଇଥିବା ଦାଗ ରହିଥିଲା। ପରେ ତାଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସୋମବାର ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯିବ ବୋଲି ପୋଲିସ କହିଛି। ଅପହରଣ ମାମଲା ନଂ ୪୮୨/୨୩କୁ ହତ୍ୟା ମାମଲାରେ ରୂପାନ୍ତରିତ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

Share