୩ ବର୍ଷର ପୁଅଙ୍କୁ ମାରି ଫାଶି ଲଗାଇଲେ ବାପା

ଝରିଗାଁ,୧୨।୮(ସ୍ବ.ପ୍ର.): ନିଶାଗ୍ରସ୍ତ ମଣିଷ ନିଜର ହିତାହିତ ଜ୍ଞାନ ଭୁଲିଯାଏ। ନିଶାର ବଶବର୍ତ୍ତୀ ହୋଇ ମଣିଷ ବଡ଼ବଡ଼ ଭୁଲ୍‌ କରିବସେ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅର୍ଜ୍ଜୁନଗୁଡ଼ା ଗାଁରେ। ନିଶାଶକ୍ତ ଜଣେ ବାପା ୩ ବର୍ଷର ପୁଅଙ୍କୁ ମାରି ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଅର୍ଜ୍ଜୁନଗୁଡ଼ା ଗ୍ରାମର ପୀତବାସ ଭତ୍ରା(୨୫) ଓ ପୁଅ ଜିତେନ୍ଦ୍ର (୩)।

ସୂଚନା ମୁତାବକ, ପୀତବାସ ଜଣେ ଟ୍ରାକ୍ଟର ଡ୍ରାଇଭର। ସବୁଦିନ ମଦ ପିଇ ସେ ଘରେ ଗଣ୍ଡଗୋଳ କରନ୍ତି। ବୁଧବାର ରାତିରେ ମଧ୍ୟ ସେ ନିଶାସକ୍ତ ଅବସ୍ଥାରେ ଆସି ସ୍ତ୍ରୀ ବିମଳାଙ୍କ ସହ ଝଗଡ଼ା କରିଥିଲେ। ବିମଳାଙ୍କ କୋଳରୁ ପୁଅକୁ ଛଡ଼ାଇ ନେଇ ପୀତବାସ ଘର କବାଟ ଦେଇ ଦେଇଥିଲେ। ସ୍ବାମୀଙ୍କ ସହ ପାଟିତୁଣ୍ଡ ନ କରି ବିମଳା ଘର ପଛପଟ ବାଡିକୁ ଚାଲି ଯାଇଥିଲେ। ଏକ ଘଣ୍ଟା ପରେ ପୀତବାସଙ୍କ ପାଟି ଶୁଣାଯାଇ ନ ଥିଲା। ସେ ଶୋଇପଡ଼ିଥିବେ ବୋଲି ଭାବି ବିମଳା ଝରକାପଟେ ଦେଖିଥିଲେ। ସେହି ସମୟରେ ଘର ଭିତରେ ପୁଅ ଏବଂ ସ୍ବାମୀଙ୍କ ଝୁଲନ୍ତା ମୃତଦେହ ଦେଖି ସେ ଚିତ୍କାର କରିଥିଲେ। ବିମଳାଙ୍କ ପାଟି ଶୁଣି ପରିବାରର ଅନ୍ୟ ସଦସ୍ୟ ଆସି ମୃତଦେହକୁ ତଳକୁ ଓହ୍ଲାଇଥିଲେ। ଘଟଣା ସମ୍ପର୍କରେ ରାତିରେ ଝରିଗାଁ ପୋଲିସକୁ ଖବର ଦିଆଯାଇଥିଲା। ଗୁରୁବାର ସକାଳେ ପୀତବାସଙ୍କ ବଡ଼ ଭାଇ ରୁଦ୍ରଦେବ ଝରିଗାଁ ଥାନାରେ ଘଟଣା ସମ୍ପର୍କରେ ଏତଲା ଦେଇଥିଲେ। ପୀତବାସ ପୁଅକୁ ମାରି ନିଜେ ଆତ୍ମହତ୍ୟା କରିଥିବା ଏତଲାରେ ଉଲ୍ଲେଖ କରିଥିଲେ। ଝରିଗାଁ ଥାନା ଅଧିକାରୀ ନଟବର ନନ୍ଦ ଏବଂ ଏସ୍‌ଡିପିଓ ଦିନେଶ ଚନ୍ଦ୍ର ନାୟକ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛନ୍ତି। ଏନେଇ ଥାନରେ ଏକ ମାମଲା (ନଂ. ୧୧୬/୨୧) ରୁଜୁ ହୋଇଛି।

Share