Categories: ଜାତୀୟ

ବାପାଙ୍କୁ ୩୨ ଖଣ୍ଡ କଲେ ପୁଅ

ବେଙ୍ଗାଲୁରୁ, ୧୩।୧୨: ଦିଲ୍ଲୀର ଶ୍ରଦ୍ଧା ହତ୍ୟା ମାମଲା ଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। କର୍ନାଟକର ବାଗାଲକୋଟରେ ଜଣେ ବ୍ୟକ୍ତି ତାଙ୍କ ବାପାଙ୍କୁ ହତ୍ୟା କରି ଶରୀରରକୁ ୩୨ ଖଣ୍ଡରେ କାଟି ଦେଇଥିବା ଅଭିଯୋଗ ହୋଇଛି। ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ଜଣଙ୍କ କଟା ଅଙ୍ଗଗୁଡ଼ିକୁ ଏକ ବୋରୱେଲରେ ଫିଙ୍ଗି ଦେଇଥିଲେ। ହତ୍ୟାକାଣ୍ଡ ଜଣାପଡିବା ପରେ ପୋଲିସ ମୃତକଙ୍କ ମୃତଦେହ ଉଦ୍ଧାର କରିଛି। ଏହି ଘଟଣାରେ ଅଭିଯୁକ୍ତ ବିଠଲା କୁଲାଲୀଙ୍କୁ ଗିରଫ କରି ପୋଲିସ ନ୍ୟାୟିକ ହେପାଜତକୁ ପଠାଇଦେଇଛି। ପୋଲିସର ସୂଚନାନୁସାରେ, ଡିସେମ୍ବର ୬ରେ ୨୦ ବର୍ଷୀୟ ବିଠଲା ତାଙ୍କ ପିତା ପର୍ଶୁରାମ କୁଲାଲୀ (୫୩)ଙ୍କୁ ରାଗରେ ଲୁହା ରଡରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପର୍ଶୁରାମ ମଦ୍ୟପାନ କରିବା ପରେ ତାଙ୍କ ଦୁଇ ପୁଅଙ୍କ ଭିତରୁ ସାନ ପୁଅ ବିଠଲାଙ୍କୁ ଦୁର୍ବ୍ୟବହାର କରୁଥିଲେ। ପର୍ଶୁରାମଙ୍କ ସ୍ତ୍ରୀ ଏବଂ ବଡ ପୁଅ ଅଲଗା ରୁହନ୍ତି। ଗତ ମଙ୍ଗଳବାର ମଧ୍ୟ ବିଠଲାଙ୍କ ବାପା ତାଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ। ଏଥିରେ ରାଗିଯାଇ ପୁଅ ଏକ ଲୁହା ରଡରେ ବାପାଙ୍କୁ ପିଟି ପିଟି ହତ୍ୟା କରିଥିଲେ। ହତ୍ୟା ପରେ ବିଠଲା ପର୍ଶୁରାମଙ୍କ ଶରୀରକୁ ୩୨ ଖଣ୍ଡରେ କାଟି ଦେଇଥିଲେ। ତା’ପରେ ସେ ଏହି ଖଣ୍ଡଗୁଡ଼ିକୁ ବାଗାଲକୋଟ ଜିଲାର ମୁଦୋଲ ଉପକଣ୍ଠରେ ଥିବା ମଣ୍ଟୁର ବାଇପାସ ନିକଟରେ ତାଙ୍କ ଫାର୍ମରେ ଏକ ବୋରୱେଲରେ ଫିଙ୍ଗିଦେଇଥିଲେ।

Share