ଦଳ ଛାଡ଼ିଲେ ଓଡ଼ଗାଁ ବ୍ଲକ ବିଜେଡି ସଭାପତି

ଓଡ଼ଗାଁ,୧୮ା୬(ଆଦର୍ଶ କୁମାର ପଟ୍ଟନାୟକ): ଓଡ଼ଗାଁ ବ୍ଲକ ବିଜେଡି ସଭାପତି ତଥା ପୂର୍ବତନ ଜିଲା ପରିଷଦ ସଦସ୍ୟ ସୂର୍ଯ୍ୟନାରାୟଣ ଚୌଧୁରୀ ସୋମବାର ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ଏହି ପଦବୀରେ ରହି ଦଳ ପାଇଁ କାର୍ଯ୍ୟ କରି ଆସୁଥିଲେ ସୁଦ୍ଧା ତାଙ୍କୁ ଲୋକଙ୍କ ସେବା କରିବାର ସୁଯୋଗ ଦିଆଯାଇ ନ ଥିଲା। ଜିଲା ତଥା ବ୍ଲକସ୍ତରରେ ଦଳୀୟ କ୍ଷମତାକୁ ବିକେନ୍ଦ୍ରୀକରଣ କରିବାରେ ସ୍ଥାନୀୟ ବିଧାୟକ ଅରୁଣ କୁମାର ସାହୁ ସଫଳ ହେବା ପରିବର୍ତ୍ତେ ଏକ ନିର୍ଦ୍ଦିଷ୍ଟ କୋଟେରି ମଧ୍ୟରେ କ୍ଷମତା ରଖିଥିଲେ। ଏହାକୁ ନେଇ ସେ ବାରମ୍ବାର ପ୍ରଶ୍ନ ଉଠାଇଥିଲେ ସୁଦ୍ଧା ତାଙ୍କ ପ୍ରତି ଗୁରୁତ୍ୱ ଦିଆଯାଇ ନ ଥିଲା। ଫଳରେ ସେ ଦଳ ଓ ଦଳୀୟ ନେତୃତ୍ୱ ପ୍ରତି ଅସନ୍ତୁଷ୍ଟ ବ୍ୟକ୍ତ କରିବା ସହିତ ନିଜର ଇସ୍ତଫା ପତ୍ର ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକଙ୍କ ନିକଟକୁ ପଠାଇଥିବା କହିଛନ୍ତି। ସମର୍ଥକଙ୍କ ସହମତି ଅନୁସାରେ ଆଗାମୀ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଛନ୍ତି।