Categories: ଖେଳ

ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ରୋହିତ ଦେଲେ ଏମିତି ଜବାବ, ପାକିସ୍ତାନ ଅଧିନାୟକ ହସି ହସି…

ନୂଆଦିଲ୍ଲୀ,୪।୧୦: ଦିନିକିଆ ବିଶ୍ୱକପ ଅକ୍ଟୋବର ୫ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେବ। ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଓପନିଂ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ। ଏହାପୂର୍ବରୁ ବୁଧବାର ‘କ୍ୟାପଟେନ ଡେ’ କାର୍ଯ୍ୟକ୍ରମ ସମୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଏହା ସହ ଜଡିତ ଏକ ପ୍ରଶ୍ନ ପଚରାଯିବାରୁ ସେ ଏକ ମଜାଦାର ଉତ୍ତର ଦେଇଥିଲେ।
ଓପନିଂ ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ଅହମ୍ମଦାବାଦରେ ଆଇସିସି ଏକ ‘କ୍ୟାପଟେନ ଡେ’ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି ସମୟରେ ସମସ୍ତ ଦଳର ଅଧିନାୟକ ଗୋଟିଏ ମଞ୍ଚରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ସେମାନେ ନିଜ ନିଜ ଦଳର ପ୍ରସ୍ତୁତି ବିଷୟରେ କହିଥିଲେ ଏବଂ ଶେଷରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ।
ଜଣେ ସାମ୍ବାଦିକ ରୋହିତ ଶର୍ମାଙ୍କୁ ପଚାରିଥିଲେ, ଗତ ବିଶ୍ୱକପ୍‌ ଫାଇନାଲ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ମ୍ୟାଚ ଟାଇ ହୋଇଥିଲା ଏବଂ ତା’ପରେ ସୁପର ଓଭର ମଧ୍ୟ ଟାଇ ହୋଇଗଲା। ଇଂଲଣ୍ଡକୁ ବିଜେତା ଘୋଷିତ କରାଯାଇଥିଲା। ଆପଣ ଭାବୁନାହାଁନ୍ତି ଯେ ଉଭୟ ଦଳ ବିଜେତା ଘୋଷିତ ହେବା ଉଚିତ୍‌।
ରୋହିତ ଶର୍ମାଙ୍କୁ ପଚରାଯାଇଥିବା ପ୍ରଶ୍ନ ଶୁଣିବା ପରେ ପାକିସ୍ତାନ ଅଧିନାୟକ ବାବର ଆଜମ ମଧ୍ୟ ହସିବା ଆରମ୍ଭ କରିଥିଲେ। ସାମ୍ବାଦିକ ହିନ୍ଦୀରେ ପ୍ରଶ୍ନ ପଚାରିଥିଲେ ଏବଂ ବାବର ହିନ୍ଦୀ ବୁଝନ୍ତି। ସେ ରୋହିତଙ୍କୁ ଚାହିଁଥିଲେ। ଭାରତୀୟ ଅଧିନାୟକ ତାଙ୍କ ପରିଚିତ ଶୈଳୀରେ ଉତ୍ତର ଦେଇଥିଲେ। ସେ କହିଥିଲେ, ତୁମେ କେଉଁ ପ୍ରଶ୍ନ ପଚାରିଦେଲ। ଏହା ଘୋଷଣା କରିବା ମୋର କାମ ନୁହେଁ ସାର୍‌।
ରୋହିତଙ୍କ ଉତ୍ତର ଶୁଣିବା ପରେ ବାବର ହସିଲେ। ପୁରା ହଲରେ ଉପସ୍ଥିତ ଥିବା ଲୋକେ ହସିବାକୁ ଲାଗିଥିଲେ। ବାବର ତାଙ୍କ ପାଖରେ ବସିଥିବା ଇଂଲଣ୍ଡ ଅଧିନାୟକ ଜୋସ ବଟଲରଙ୍କୁ ଇଂରାଜୀରେ ପୁରା ଘଟଣା ବିଷୟରେ ଜଣାଇଥିଲେ। ୧୪ ଅକ୍ଟୋବରରେ ଅହମ୍ମଦାବାଦରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଲାଯିବ।

Share