୨୦ ବର୍ଷ, ୨ହଜାରୁ ଊର୍ଦ୍ଧ୍ୱ ସେନାଙ୍କୁ ହରାଇବା ପରେ ସରିଲା ଆମେରିକାର ଅଭିଯାନ

ୱାଶିଂଟନ,୩୧ ।୮: ଆତଙ୍କବାଦ ବିରୋଧରେ ୨୦ ବର୍ଷ ଧରି ଆମେରିକା ଚଳାଇଥିବା ଅଭିଯାନ ଶେଷ ହୋଇଛି । ଅନ୍ୟ ଦେଶରେ ଚାଲିଥିବା ଏଡି ଅଭିଯାନ ଯେତିକି କଷ୍ଟକର ଥିଲା ସେତିକି ରୋଚକ ମଧ୍ୟ ଥିଲା । ଆମେରିକାର ଆଫଗାନିସ୍ତାନରେ ଲଢେଇ ଏମିତି ଥିଲା ଯାହା ଅନ୍ଧାରରେ ବାଡି ବୁଲାଇବା ସହ ସମାନ ବୋଲି କୁହାଯାଏ । ଏଥିରେ କୋଟି କୋଟି ଡଲାର ଖର୍ଚ୍ଚ ହେବା, ହଜାର ହଜାର ସେନାଙ୍କ ଜୀବନ ଯିବା ଆଦି ଏବେ ଆମେରିକା ପାଇଁ ଅତୀତ ହୋଇଗଲା । ଏହି ଅଭିଯାନ ଶେଷ ହେବା ପରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଆଫଗାନିସ୍ତାନରେ ଆତଙ୍କବାଦ ବିରୋଧ ଯୁଦ୍ଧରେ ଆମେରିକାର ପ୍ରାୟ ୨,୪୬୧ ସେନାଙ୍କ ଜୀବନ ଯାଇଛି । ଏହାପରେ ଏମିତି ବହୁତ କିଛି ଆମେରିକାକୁ ସହିବାକୁ ପଡଛି ଯାହା କହିବା ସମ୍ଭବ ନୁହେଁ । ଲୟଡ ଅଷ୍ଟିନ କହିଛନ୍ତି ଆତଙ୍କବାଦ ବିରୋଧରେ ଆମର ଲଢେଇ ଜାରି ରହିବ । କାରଣ ଆମପାଇଁ ଆମେରିକା ନାଗରିକ ସବୁଠାରୁ ଆଗରେ । ବିଶ୍ୱରେ ସେମାନଙ୍କୁ ଆତଙ୍କବାଦଠାରୁ ବଞ୍ଚାଇବା ପାଇଁ ଆମେ ସବୁକିଛି କରିବାକୁ ପ୍ରସ୍ତୁତ ଅଛୁ । ଆମେ ଆତଙ୍କବାଦ ବିରୋଧରେ କଠିନ ପରିଶ୍ରମ କରିବୁ ଓ ଏହାର ମୂଳୋତ୍ପାଟନ କରିବୁ । ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ଆରମ୍ଭ କରିବା ପୂର୍ବରୁ ସେଠାରୁ ୧ଲକ୍ଷ ୨୩ ହଜାର ଲୋକଙ୍କୁ ଆମେରିକା ଉଦ୍ଧାର କରିଛି । ଏମାନଙ୍କ ମଧ୍ୟରେ ପ୍ରାୟ ୬ ହଜାର ଆମେରିକୀୟ ଓ ଆଫଗାନ ନାଗରିକଙ୍କ ସମେତ ଅନ୍ୟ ଦେଶର ନାଗରିକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି ।

Share