Categories: ଖେଳ

ମ୍ୟାଚ ହାରିବା ପରେ କୁଲଦୀପ ଯାଦବଙ୍କ ଘର ବାହାରେ ପୋଲିସ ମୁତୟନ…

କାନପୁର,୨୦।୧୧ : ଆଇସିସି କ୍ରିକେଟ ବିଶ୍ୱକପର ଅନ୍ତିମ ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ରବିବାର ଅହମଦାବାଦରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୬ ୱିକେଟରେ ପରାସ୍ତ କରିଛି। ଭାରତର ପରାଜୟ ପରେ ଗୋଟିଏ ପାର୍ଶ୍ୱରେ ଷ୍ଟାଡିୟମରେ ବସିଥିବା ଦର୍ଶକମାନେ କ୍ରୋଧିତ ଦେଖାଯାଉଥିଲେ। ଅନ୍ୟପକ୍ଷରେ ଟିଭି ଏବଂ ମୋବାଇଲରେ ମ୍ୟାଚ ଦେଖୁଥିବା ପ୍ରଶଂସକମାନେ ମଧ୍ୟ ରାଗି ଯାଇଥିଲେ। କୌଣସି ଅଘଟଣରୁ ରକ୍ଷା ପାଇବା ପାଇଁ ପୋଲିସ ସତର୍କ ହୋଇଯାଇଥିଲା।

ବିଶ୍ୱକପ ଫାଇନାଲରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ହରାଇବା ମାତ୍ରେ ପୋଲିସକୁ ତୁରନ୍ତ ବୋଲର କୁଲଦୀପ ଯାଦବଙ୍କ ଘରକୁ ପଠାଇବାକୁ ପଡିଛି। ୟୁପି ପୋଲିସର ସୂଚନାନୁସାରେ, କୌଣସି ଅଘଟଣକୁ ଏଡାଇବା ପାଇଁ କାନପୁରର ଡିଫେନ୍ସ କଲୋନୀରେ ଅବସ୍ଥିତ କୁଲଦୀପ ଯାଦବଙ୍କ ଘରର ସୁରକ୍ଷା ବୃଦ୍ଧି କରାଯାଇଥିଲା। ତାଙ୍କ ଘର ବାହାରେ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହା ସହିତ ପୋଲିସର ଜିପ୍ସୀ ମଧ୍ୟ ନିରନ୍ତର ପାଟ୍ରୋଲିଂ କରୁଛି।

ଜାଜମଉ ଇନ୍ସପେକ୍ଟର ଅରବିନ୍ଦ ସିସୋଡିଆ କହିଛନ୍ତି ସତର୍କତାମୂଳକ ପଦକ୍ଷେପ ଭାବରେ କୁଲଦୀପ ଯାଦବଙ୍କ ଘରକୁ ପୋଲିସ ପଠାଯାଇଛି। ଏପର୍ଯ୍ୟନ୍ତ କୌଣସି ପ୍ରକାରର ପ୍ରଦର୍ଶନ କିମ୍ବା ଉତ୍ତେଜନା ବିଷୟରେ ଖବର ମିଳିନାହିଁ। କିନ୍ତୁ ଆମେ ଆମ ପକ୍ଷରୁ ସମ୍ପୂର୍ଣ୍ଣ ସତର୍କ ରହିଛୁ।

କାନପୁର ପୋଲିସର ସୂଚନାନୁସାରେ, କୁଲଦୀପ ଯାଦବଙ୍କ ପରିବାର ସଦସ୍ୟଙ୍କଠାରୁ କୌଣସି ସୁରକ୍ଷା ଦାବି କରାଯାଇ ନ ଥିଲା, କିନ୍ତୁ ପୋଲିସ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ଥିତି ଉପରେ କଡା ନଜର ରଖାଯାଇଛି।

Share