Categories: ଖେଳ

ଲଗାତର ୧୩ ମ୍ୟାଚ୍‌ ହାରିବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଜିତିଲା ଏହି ଦଳ

ବ୍ରିସବେନ୍‌, ୩୦।୯: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳ ବିପକ୍ଷରେ ଲଗାତର ୧୩ ମ୍ୟାଚ୍‌ ହାରିବା ପରେ ଶେଷରେ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିଛି। ଏଠାରେ ଅନୁଷ୍ଠିତ ଅନ୍ତିମ ତଥା ୩ୟ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ମହିଳା ଦଳ ୫ ଉଇକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ୭ ଉଇକେଟ୍‌ରେ ୧୨୩ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଆସ୍‌ଲେଇଘ ଗାର୍ଡନର ୨୯ ରନ କରିଥିଲେ। ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ୍‌ ଦଳ ପକ୍ଷରୁ ଲିଆ ତାହୁହୁ ଓ ଆମେଲିଆ କେର୍‌ ୨ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ନ୍ୟୁଜିଲାଣ୍ଡ ୩ଟି ବଲ୍‌ ପୂର୍ବରୁ ୫ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ବିଜୟୀ ଦଳର ଏମି ସେଥରଓ୍ବେଟ୍‌ ୩୦, କେଟୀ ମାର୍ଟିନ ୨୩ ଓ ଆମେଲିଆ ୧୮* ରନ କରିଥିଲେ। ଏହି ବିଜୟ ସହ ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତର ୧୩ ମ୍ୟାଚ୍‌ ହାରିବା ପରେ ଶେଷରେ ନ୍ୟୁଜିଲାଣ୍ଡ ମହିଳା ଦଳ ବିଜୟ ସ୍ବାଦ ଚାଖିଛି। ଏଥିପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ୭ଟି ଟି୨୦ ଓ ୬ଟି ଏକଦିବସୀୟ ମ୍ୟାଚ୍‌ ଖେଳି ଅଷ୍ଟ୍ରେଲିଆ ବିଜୟୀ ଲାଭ କରିଥିଲା।

Share