ନଡ୍ଡାଙ୍କୁ ଭେଟିବା ପରେ ଓଡ଼ିଶା ପାଇଁ ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ହେବ…

ଭୁବନେଶ୍ୱର,୨୯ା୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଶ୍ରୀମତୀ ପ୍ରଭାତୀ ପରିଡ଼ା ଶନିବାର ନୂଆ ଦିଲ୍ଲୀରେ ରାଜଘାଟଠାରେ ଜାତିର ପିତା ମହାତ୍ମାଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗାନ୍ଧିଜୀଙ୍କ ଆଦର୍ଶ ଯୁଗ ଯୁଗ ପାଇଁ ସାରା ବିଶ୍ବକୁ ପ୍ରେରଣା ଯୋଗାଇବ। ଅଟଳ ବିହାରୀ ବାଜପେୟୀ ଭାରତର ଗଣତନ୍ତ୍ରର ସୁରକ୍ଷା ଓ ଆଧୁନିକ ଭାରତ ଗଠନ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ସ୍ମରଣୀୟ ହୋଇ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହାପରେ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କ ସହିତ ଓଡ଼ିଶାର ବିଭିନ୍ନ ସ୍ବାର୍ଥ ସମ୍ବଳିତ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ।

ଜୟଶଙ୍କରଙ୍କ ସହ ଆଲୋଚନାରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ୟୁଏଇର କନ୍‌ସୁଲେଟ ଖୋଲିବା ଉପରେ ଗୁରୁତ୍ୱ ଦେଇଥିଲେ। ଦୁବାଇରେ ଓଡ଼ିଶାର ଅନେକ ଲୋକ କାମ କରୁଥିବାରୁ ଓ ଦୁବାଇ ସହିତ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ପାଇଁ ଏହା ବିଶେଷ ସହାୟକ ହେବ ବୋଲି ସେ କହିଥିଲେ। ଓଡ଼ିଶାର ୮ ଜଣ ବ୍ୟକ୍ତି ଦୁବାଇରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଓ ରାଜ୍ୟକୁ ଫେରି ପାରୁ ନ ଥିବା କଥା ଉଠାଇ ଏଥିରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସହଯୋଗ ସେ କାମନା କରିଥିଲେ। ଏସବୁ ସମ୍ପର୍କରେ ଗୁରୁତ୍ୱ ଦିଆଯାଇ ଆଶୁ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର ପ୍ରତିଶ୍ରୁତି ଦେଇଥିଲେ।

ସ୍ବାସ୍ଥ୍ୟମନ୍ତ୍ରୀ ନଡ୍ଡାଙ୍କ ସହିତ ଆଲୋଚନାରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଯେଉଁସବୁ ଜିଲାରେ ବର୍ତ୍ତମାନ ସୁଦ୍ଧା ମେଡିକାଲ କଲେଜ ଖୋଲାଯାଇ ନାହିଁ, ସେ ସବୁ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ଉପରେ ଗୁରୁତ୍ୱ ଦେଇଥିଲେ। ସେହିପରି ସମ୍ବଲପୁରରେ ଦ୍ବିତୀୟ ଏମ୍ସ ଖୋଲିବା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏହା ସହିତ ଭୁବନେଶ୍ୱର ସ୍ଥିତ ଏମ୍ସର ସମ୍ପ୍ରସାରଣ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।

ବୈଠକରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବା ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଖୁବ ଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହା ଓଡ଼ିଶାର ଗରିବ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ପାଇଁ ଖୁବ୍‌ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ବିକାଶ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ରରେ ଗଲ୍ଫ କୋର୍ସ ପ୍ରତିଷ୍ଠା, ରାଜ୍ୟରେ ଏକ ପ୍ରମୁଖ ନୌବାଣିଜ୍ୟ କେନ୍ଦ୍ର ପ୍ରତିଷ୍ଠା ଓ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ କେନ୍ଦ୍ର ଖୋଲିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ବିଶେଷ କରି ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦାରା ଜାପାନ ଓ ଓଡ଼ିଶା ମଧ୍ୟରେ ସାଂସ୍କୃତିକ ଓ ବାଣିଜି୍ୟକ ସମ୍ପର୍କ ବୃଦ୍ଧି ହେବ। ନୌବାଣିଜ୍ୟ କେନ୍ଦ୍ର ପାଇଁ କେନ୍ଦ୍ର ସରକାର ଏକ ବିଶେଷଜ୍ଞ ଟିମ୍‌ ପଠାଇବାକୁ ନିଷ୍ପତ୍ତି ହୋଇଥିଲା।

ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଏହି ତିନି ଦିନ ମଧ୍ୟରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅଧିକ ସହଯୋଗ ଓ ସହଭାଗିତା ଉପରେ ଗୁରୁତ୍ୱ ଦେଇ ଆଲୋଚନା କରିଥିଲେ। ଏହାଦ୍ବାରା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ହେବା ସହିତ ରାଜ୍ୟର ବିକାଶ ତ୍ୱରାନ୍ବିତ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି।

Share