ମାଟିରେ ମିଶିବା ପରେ ସ୍ମୃତି ହୋଇଗଲା ଭ୍ୟୁ ଟାଓ୍ବାର

ଏରସମା,୫।୮(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମି ଏବେ ଶ୍ରୀହୀନ ହୋଇଯାଇଛି। ଲୁଣା ଜୁଆର ପ୍ରତିରୋଧକ ବନ୍ଧ ନିର୍ମାଣ ସମ୍ଭବ ନ ହେବାରୁ ଏହାର ଭିତ୍ତିଭୂମି ଦୁର୍ବଳ ହୋଇପଡ଼ିଥିଲା। ଶେଷରେ ପ୍ରଶାସନ ପକ୍ଷରୁ ଶୁକ୍ରବାର ରାତିରେ ଏହାକୁ ଭାଙ୍ଗି ଦିଆଯାଇଛି। ଫଳରେ ପର୍ଯ୍ୟଟକମାନେ ଟାୱାର ଉପରକୁ ଯାଇ ସମୁଦ୍ରର ନୀଳ ତରଙ୍ଗ ମାଳାକୁ ଆଉ ଉପଭୋଗ କରିପାରିବେ ନାହିଁ।
ସୂଚନାଯୋଗ୍ୟ, ଶିଆଳି ବେଳାଭୂମିର ଗୋଟିଏ ପଟେ ସମୁଦ୍ରର ନୀଳ ଜଳରାଶି, ଅପରପଟେ ସୁବିସ୍ତୃତ ଝାଉଁ ଜଙ୍ଗଲ ରହିଛି। ଏହାକୁ ଦୃଷ୍ଟିରେ ରଖି ୨୦୦୮ରେ ଉପକୂଳସ୍ଥ ନଦୀଗର୍ଭ ସମତୁଲ କରି ସମୁଦ୍ର ଦର୍ଶନ ପାଇଁ ୧୨ ଲକ୍ଷ ଟଙ୍କା ବ୍ୟୟରେ ସୁଦୃଶ୍ୟ ଭ୍ୟୁ ଟାୱାର ନିର୍ମାଣ କରାଯାଇଥିଲା। ଏଠାରୁ ସମୁଦ୍ରକୁ ଉପଭୋଗ କରିବା ପାଇଁ ପିକନିକ୍‌ ଋତୁ ସହ ବର୍ଷର ସବୁ ସମୟରେ ବହୁ ଦୂର ଦୂରାନ୍ତରୁ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକ ଶିଆଳି ବେଳାଭୂମିକୁ ଆସୁଥିଲେ। ୨୦୧୬ରେ ଶିଆଳି ବେଳାଭୂମି ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିଲା। ଏନେଇ ଏରସମାବାସୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଥିଲା। ସେତେବେଳେ ସମୁଦ୍ର ବେଳାଭୂମିଠାରୁ ଅଧକିଲୋମିଟର ଦୂରରେ ଥିଲା। ସମୟକ୍ରମେ ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ର ଜଳପତ୍ତନ ଆଶାତୀତ ବୃଦ୍ଧି ଘଟି କୂଳ ମୁହାଁ ହେଲା। ଏନେଇ ବହୁ ଆପତ୍ତି ଅଭିଯୋଗ କରାଯାଇଥିଲେ ମଧ୍ୟ ଓଟିଡିସି ପକ୍ଷରୁ ଲୁଣା ଜୁଆର ପ୍ରତିରୋଧ ପାଇଁ କୌଣସି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଇ ପାରିଲା ନାହିଁ। କେବଳ ବାଲିବସ୍ତା ଝାଉଁ ଖୁଣ୍ଟରେ କାମ ଶେଷ କରାଗଲା। ମାତ୍ର ଏହା ଭ୍ୟୁ ଟାଓ୍ବାରକୁ ଜୁଆରମାଡ଼ରୁ ରକ୍ଷା କରିବା ପାଇଁ ଯଥେଷ୍ଟ ହେଲା ନାହିଁ। ୩୦ ଜୁଲାଇ ରାତିରେ ସମୁଦ୍ର ଜୁଆର ମାଡ଼ରେ ଏହି ଟାଓ୍ବାରର ମୂଳଦୁଆ ଭୁଶୁଡ଼ି ଅସୁରକ୍ଷିତ ହୋଇଯାଇଥିଲା। ଏହାପରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାକୁ ଭାଙ୍ଗି ଦିଆଯାଇଛି। ଆଗକୁ ଶିଆଳି ବେଳାଭୂମିର ସୁରକ୍ଷା ପ୍ରତି ଦୃଷ୍ଟି ଦିଆ ନଗଲେ ଉପକୂଳବର୍ତ୍ତୀ ଶିଆଳି, ରାମତରା, ଶଙ୍ଖା, କଳାବେଦୀ ଆଦି ଗାଁ ସମୁଦ୍ରରେ ଲୀନ ହୋଇଯିବାର ଆଶଙ୍କା ରହିଛି। ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।