କରାଚୀ,୧୪।୩: ଜାତୀୟ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୦୦ରୁ ଊର୍ଦ୍ଧ୍ୱ ରନ୍ରେ ଆଗୁଆ ରହିବା ପରେ ମଧ୍ୟ ପାକିସ୍ତାନକୁ ଫଲୋଅନ୍ ଦେଇନାହିଁ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୫୫୬/୯ରେ ପାଳି ଘୋଷଣା କରିଥିଲା। ଜବାବରେ ମାତ୍ର ୧୪୮ ରନ୍ରେ ଶେଷ ହୋଇଥିଲା ଘରୋଇ ପାକିସ୍ତାନ ଦଳର ପ୍ରଥମ ଇନିଂସ। ଅଧିନାୟକ ବାବର ଆଜାମ(୩୬)ଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ଆଖି ଦୃଶିଆ ସ୍କୋର କରିପାରି ନ ଥିଲେ। ପ୍ରଥମ ଇନିଂସରେ ୪୦୮ ରନ୍ର ଅଗ୍ରଣୀ ପରେ ମଧ୍ୟ ଅଷ୍ଟ୍ରେଲିଆ ଅଧିନାୟକ ପାଟ କୁମିନ୍ସ ଫଲୋଅନ୍ ଦେବା ପରିବର୍ତ୍ତେ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ତେବେ ଅତ୍ୟଧିକ ଗରମ ପରିବେଶ ଯୋଗୁ ଏଭଳି ନିଷ୍ପତ୍ତି ପଛର କାରଣ ହୋଇଥାଇପାରେ ବୋଲି କୁହାଯାଉଛି।