‘କେବଳ ଏକା ପାଣ୍ଡିଆନ୍‌ କାହିଁକି ମାଇକ୍‌ ଧରୁଛନ୍ତି’, ନବୀନଙ୍କ ସାକ୍ଷାତକାର ପରେ ହିମନ୍ତଙ୍କ ବଡ଼ ବୟାନ

ଭୁବନେଶ୍ୱର,୩୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତକାର ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପ୍ରତିକ୍ରିୟା ରଖିଛନ୍ତି। ହିମନ୍ତ କହିଛନ୍ତି, ନବୀନ ସାକ୍ଷାତକାରରେ ଦେଇଥିବା ଉତ୍ତର ଅଧିକ ପ୍ରଶ୍ନବାଚୀ ଛିଡା କରିଛି। କେବଳ ଏକା ପାଣ୍ଡିଆନ୍‌ କାହିଁକି ତାଙ୍କ ମାଇକ୍‌ ଧରୁଛନ୍ତି ତା’ର ଉତ୍ତର ଦେଲେନି ନବୀନ। ପାଣ୍ଡିଆନ୍‌ ତାଙ୍କୁ ନିୟନ୍ତ୍ରଣ କରୁନାହାନ୍ତି, ତାହା ଆଶ୍ୱସ୍ତ କରିପାରିଲେନି।

କାହିଁକି ନେତା, ମନ୍ତ୍ରୀ ସିଧା ଭେଟି ପାରୁନାହାନ୍ତି, ତା ଉତ୍ତର ବି ଲୋକ ପାଇଲେନି। ନିଜେ ଦସ୍ତଖତ କରୁଛନ୍ତି ନା ପାଣ୍ଡିଆନ୍‌ଙ୍କ ପାଖରେ ତାଙ୍କ ଡିଜିଟାଲ ସାଇନ ଅଛି। ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା, ତା ଉତ୍ତର ବି ଲୋକଙ୍କୁ ମିଳିଲାନି ବୋଲି ବିଶ୍ୱଶର୍ମା କହିଛନ୍ତି।

ନବୀନ ଦେଇଥିବା ସାକ୍ଷାତକାରର କହିଛନ୍ତି, ଓଡ଼ିଶା ଲୋକ ତାଙ୍କର ଉତ୍ତରାଧିକାରୀ ସ୍ଥିର କରିବେ। ପାଣ୍ଡିଆନ୍‌ ତାଙ୍କ ଉତ୍ତରାଧିକାରୀ ନୁହନ୍ତି। ଏ କଥାକୁ ଅଯଥାରେ କେବଳ ଅପପ୍ରଚାର କରାଯାଉଛି। ଏହି କଥାକୁ କାହିଁକି ପ୍ରଚାର କରାଯାଉଛି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି ।

ପ୍ରକୃତ କ୍ଷମତା ତାଙ୍କ ପାଖରେ ନାହିଁ ବୋଲି ବିରୋଧୀଙ୍କ ଅଭିଯୋଗ ଉପରେ ମଧ୍ୟ ସାକ୍ଷାତକାରରେ ସ୍ପଷ୍ଟ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ ସବୁ କ୍ଷମତା ମୋ ପାଖରେ ଅଛି । ମୁଁ ସବୁବେଳେ କ୍ୟାବିନେଟ ମିଟିଂରେ ଅଧ୍ୟକ୍ଷତା କରେ ।

 

Share