ନେଡ଼ିଗୁଡ଼ କହୁଣିକୁ ବୋହିଗଲା ପରେ

ଉପେନ୍ଦ୍ର ବିଶ୍ୱାଳ

 

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟର କଥା। ସେତେବେଳେ ଆମେରିକା ଅଧୀନ ଥିଲା ଜାପାନ। ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିଲା ତା’ ଆର୍ଥିକ ସ୍ଥିତି ଓ ବେପାର ବଣିଜ। କାଲିଫର୍ନିଆର ସୁସ୍ବାଦୁ କମଳା ଶୋଭା ପାଉଥାଏ ଜାପାନ ବଜାରରେ। ମାଆମାନଙ୍କ ସହିତ ବଜାର ବାହାରିଥିବା କୁନିପିଲାଙ୍କ ମନ ଅଥୟ ହୋଇଉଠେ ଲୋଭନୀୟ କମଳା ଦେଖି। ସେଇଠୁ ଅଳି କରନ୍ତି ମାଆଙ୍କଠାରେ। ”ଜାଣିଛୁ ସେ କମଳାସବୁ କେଉଁଠୁ ଆସିଛି?“ ପ୍ରଶ୍ନିଳ ଆଖିରେ ମାଆକୁ ଚାହିଁ ପିଲାଟି ପଚାରେ- କେଉଁଠୁ ଆସିଛି ମାଆ? ”ଏସବୁ ସେ ଦେଶରୁ ଆସିଛି, ଯେଉଁ ଦେଶ ଆମ ଉପରେ ବୋମା ପକେଇ ଆମଦେଶକୁ ଉଡ଼iଇଦେବାକୁ ଚେଷ୍ଟା କରୁଥିଲା। ଆମ ସଭିଙ୍କୁ ମାରିଦେବାକୁ ଚାହୁଁଥିଲା। ତୁ କ’ଣ ସେଦେଶର କମଳା ଖାଇବୁ?“ ବାସ୍‌ ଶାନ୍ତ ପଡ଼ିଗଲା ପିଲାର ଅଝଟ ମନ। ମାନସ ପଟରେ ଆଙ୍କି ହୋଇଗଲା, ମାଟି ପ୍ରତି ମମତାଭାବ। ଶୈଶବରୁ ଶିଖିଲା ଏମିତି। ସେଇଠୁ ଜାପାନ ଆଗେଇ ଚାଲିଛି ଆଗକୁ ଆଗକୁ। ଆଉ ଆମେ ଭାରତୀୟମାନେ? ଶତ୍ରୁର ସାହାରା ସାଜିବା ବିଭିନ୍ନ ଉପାୟରେ। ଏଇ ଯେମିତି ଚାଇନା ତିଆରି ଜିନିଷ କିଣିବାରେ ଆମେ ହେଳା କରୁନା। ବେଜିଂକୁ ଆମେ ଏମିତି ବଳଶାଳୀ କରିବୁ ଯେ ସେ ଯେମିତି ଅଧିକ ଗୋଳାବାରୁଦ କିଣିବ ଆମକୁ ମାରିବାକୁ। ଆହୁରି ହଜାର ହଜାର ଏକର ଜମି ଆମର ମାଡ଼ିବସିବ। ଆମେ ଭୁଲିଗଲୁ ଅତୀତର ସେ ଜ୍ୱାଳାକୁ, ଅପମାନକୁ। ବେଇମାନିର ବାଦଶାହ ଥିବା ବିଶ୍ୱାସଘାତୀ ବେଜିଂର ବର୍ବରାଚାରଣକୁ। କେବଳ ଆର୍ଥିକ ବଳ ନୁହଁ, ନୈତିକ ଓ ମାନସିକ ବଳରେ ବି କ୍ରୂର କମ୍ରେଡ ମାଟିକୁ ବି କମର କଷିବାରେ ସାହାଯ୍ୟ କରୁଛୁ। ଡୋକଲାମ୍‌ ବିବାଦ ସମୟରେ ଜଣେ ବୟସ୍କ ଓକିଲ ତ ଚାଇନା ବିରୋଧରେ ନ ଲେଖିବାକୁ ପରାମର୍ଶ ଦେଇ ମୋତେ କହୁଥିଲେ ”ତୁମେମାନେ ଚାଇନା ସମ୍ବନ୍ଧେ କିଛି ଜାଣିନାହିଁ। ମୁଁ ୫/୬ ଥର ସେଠାକୁ ଯାଇଛି। ବିଭିନ୍ନ ସ୍ତରର ଲୋକଙ୍କ ସହିତ ମିଶିଛି। ଚାଇନା କଦାପି ଭାରତ ବିରୋଧୀ ନୁହେଁ। ଏଇ ସରକାର ହିଁ ତାକୁ ତତାଉଛନ୍ତି। ତୁମେମାନେ ତା’ ବିରୋଧରେ ଲେଖି କ’ଣ ପାଇବ?“ ଏବେ ଆସିବା ମୁଖ୍ୟ ପ୍ରସଙ୍ଗକୁ। ଗତ ଜୁନ ୨୫ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାମିଲନାଡୁର ଭାଜପା କାର୍ଯ୍ୟକର୍ତ୍ତIଙ୍କୁ ଭର୍ଚ୍ଚୁଆଲ୍‌ ଜରିଆରେ ସମ୍ବୋଧିତ କରୁଥିଲାବେଳେ ଆଶ୍ଚର୍ଯ୍ୟ ହୋଇ ପଚାରୁଥିଲେ ”ଚାଇନାନିର୍ମିତ ଗଣେଶ ମୂର୍ତ୍ତି ପ୍ରତି କାହିଁକି ଆମର ଏତେ ଦୁର୍ବଳତା? କାହିଁକି ସ୍ଥାନୀୟ ସ୍ତରରେ ତିଆରି ଅତି ସାଧାରଣ ସାମଗ୍ରୀ, ତାକୁ ବି ନ କିଣି ଚାଇନା ସାମଗ୍ରୀ କିଣି ଚାଲିଛୁ? କାହିଁକି ଏ ପରିସ୍ଥିତି ସୃଷ୍ଟି ହେଲା?“ ମୂଳ କଥା ହେଉଛି, ସାଧାରଣ ସ୍ତରରୁ ଶାସକ ସ୍ତର ପର୍ଯ୍ୟନ୍ତ ଆମେ ସମସ୍ତେ ଏକ ପ୍ରକାର ରୁଗ୍‌ଣ ମାନସିକତାର ଶିକାର। ନା ଅଛି ମାଟି ପ୍ରତି ମମତା ବା ସମ୍ମାନବୋଧ ଅବା ସ୍ବାଭିମାନ। ରାତାରାତି ଯେ ସେ କମ୍ରେଡ୍‌ ମାଟି ଏଠି ଚର ମାଡ଼ିଗଲା ତାହା ନୁହଁ, ଗତ ଅଶୀ ଦଶକରୁ ଆରମ୍ଭ ହେଇଥିବା ଦ୍ରୁତ ଶିଳ୍ପାୟନ, ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ ଅଭିଯାନ ଯୋଗୁ ସେ ଦେଶରେ ଉଭାହେଲା ଉତ୍କଟ ସମସ୍ୟା। ତାହା ଏମିତି ଭୟଙ୍କର ରୂପ ଧାରଣ କଲା ଯେ ଚାଇନା ବାଧ୍ୟହେଲା ବଡ଼ ବଡ଼ ଶିଳ୍ପଗୁଡ଼ିକୁ ବନ୍ଦ କରିଦେବାକୁ। କେବଳ ୨୦୦୬ ମସିହାରେ ୩୦ରୁ ଅଧିକ ବୃହତ୍‌ ଶିଳ୍ପକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଗଲା। ସେଇଠୁ ସେ ଦେଶର କମ୍ପାନୀମାନେ ବିକଳ୍ପ ବ୍ୟବସ୍ଥା ଆପଣାଇଲେ ଭାରତର ବିଶାଳ ବଜାରକୁ ଆଖି ଆଗରେ ରଖି। ସେମାନେ ତାଙ୍କର ସୁଦକ୍ଷ ଗୋଷ୍ଠୀଙ୍କୁ ଭାରତ ପଠେଇଲେ ବଜାର ଅଧ୍ୟୟନ କରିବାକୁ। ସେମାନେ ପ୍ରଥମେ ବିଭିନ୍ନ ପ୍ରାନ୍ତରେ ବୁଲି ବୁଲି ଜନମାନସିକତାକୁ ଆକଳନ କଲେ।
ଭାରତର ମେଳା ମହୋତ୍ସବ ଆଦିରୁ ବିଭିନ୍ନ ଖେଳନା ସାମଗ୍ରୀ କ୍ରୟ କରିନେଲେ। ତାହାକୁ ବିଭିନ୍ନ ଧାତୁ, ଯନ୍ତ୍ରପାତି ଓ ବୈଦ୍ୟୁତିକ ସରଞ୍ଜାମ ଆଦିରେ ଅଧିକ ଆକର୍ଷଣୀୟ ଓ ନବୀକରଣ କରି ଶସ୍ତାରେ ଭାରତକୁ ଛାଡ଼ିଲେ। ସରକାରଙ୍କ ପ୍ରୋତ୍ସାହନ ବି ରହିଲା ତାଙ୍କ ପଛରେ। ଏହିପରି ଧୀରେ ଧୀରେ ଭାରତର କ୍ଷୁଦ୍ରଶିଳ୍ପ, ହସ୍ତଶିଳ୍ପ, କୁଟୀର ଶିଳ୍ପ ଓ ପାରମ୍ପରିକ କାରିଗରି ଶିଳ୍ପକୁ ଏକପ୍ରକାର ଅପହରଣ କରିନେଲେ। ଇଣ୍ଡିଆ ଭିତରେ ଚାଇନା ବିରାଜମାନ କଲା। ମାତ୍ର ଗୋଟେ ଦଶନ୍ଧିରେ ଆମର ୭୦ଭାଗରୁ ଅଧିକ କଣ୍ଢେଇ ଓ ହସ୍ତକଳା ବଜାରକୁ ଦଖଲ କରିନେଲେ ସେମାନେ। ଭିନ୍ନ ଭିନ୍ନ ଆକୃତି ଓ ଆକାରର ବୈଦ୍ୟୁତିକ ଝଲକ ମଧ୍ୟରେ ଜୀବନ୍ତ ମନେହେଉଥିବା ଚାଇନାନିର୍ମିତ ଆକର୍ଷଣୀୟ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ସାରା ଭାରତରେ ଭରପୂର। ବିଶେଷ କରି ପ୍ରସିଦ୍ଧ ଗଣପତି ପର୍ବ ପୂର୍ବରୁ ଦକ୍ଷିଣ ଭାରତରେ ଏହା ପ୍ରଚୁର ବିକ୍ରି ହେଉଥିବାରୁ ସେଠାକାର କାରିଗରମାନେ ମଥାରେ ହାତଦେଇ ବସୁଛନ୍ତି। ସେମିତି ବି ପଶ୍ଚିମବଙ୍ଗର କାରିଗରମାନଙ୍କର ସମଦଶା, ଚାଇନାର ଦେବୀ ଦୁର୍ଗାଙ୍କ ମୂର୍ତ୍ତିକୁ ନେଇ। ବିଶ୍ବପ୍ରସିଦ୍ଧ ଆଲିଗଡ ତାଲା ଶିଳ୍ପରେ ତ ତାଲା ପଡିଗଲାଣି। ଚାଇନା ତାଲା ଛାଇ ହୋଇଯାଇଛି ଚାରିଆଡ଼େ। ଉତ୍ତରପ୍ରଦେଶର ଫିରୋଜାବାଦ, ଯାହା କି ଦେଶର ଆବଶ୍ୟକ କାଚ ସାମଗ୍ରୀ ଚାହିଦାକୁ ପୂରଣ କରିସାରି ବାହାରକୁ ରପ୍ତାନି କରିଥାଏ। ଚାଇନାର ଶିଳ୍ପୀମାନେ ଖୁବ୍‌ ଶସ୍ତା, ସୁନ୍ଦର ଓ ସୌଖୀନ ସାମଗ୍ରୀ ଯୋଗାଇ ଫିରୋଜାବାଦର ଶିଳ୍ପକୁ ସମାଧି ଦେବାକୁ ବସିଲେଣି। ସେମିତି ବି ବିଦେଶରେ ଖୁବ୍‌ ଚାହିଦା ଥିବା ତାମିଲନାଡୁର ଶିବକାଶୀର ବାଣ ଶିଳ୍ପ ଆଜି ମୁମୂର୍ଷୁ ଅବସ୍ଥାରେ। ଆମ ଅର୍ଥନୀତିକୁ ଏହା ଖୁବ୍‌ ମଜଭୁତ କରୁଥିଲା। ସଂପ୍ରତି ଚାଇନା ସାମଗ୍ରୀଗୁଡିକ ଆମ ଚାରିପଟେ ରହି ଆମକୁ ବିଦ୍ରୂପ କରୁଛନ୍ତି। ଭାରତ ହେଉଛି ବିଶ୍ୱର ୨ୟ ବୃହତ୍ତମ ମୋବାଇଲ ବ୍ୟବହାରକାରୀ ଦେଶ। ପ୍ରାୟ ଅର୍ଦ୍ଧାଧିକ ଭାରତୀୟଙ୍କ ହସ୍ତରେ ଆଜି ଏକାଧିକ ଦାମିକା ମୋବାଇଲ, ତାହା ପୁଣି ବିଦେଶୀ କମ୍ପାନୀଙ୍କ। ଏଠାରେ ଏ କ୍ଷେତ୍ର ବି ଆଜି ଚାଇନା କମ୍ପାନୀଙ୍କ କବ୍‌ଜାରେ। ଏଇ ଟିକେ ଆଗରୁ ଆମ ସରକାର ଚାଇନାର ୫୯ଟି ଆପ୍‌କୁ ନିଷିଦ୍ଧ କରିଛନ୍ତି। ଛତିଶଗଡ଼ର ଆଇ.ଟି. ବିଶେଷଜ୍ଞ ସୁମିତ୍‌ ଘୋଷ, ଓଡ଼ିଶାର ବିଶ୍ୱାତ୍ମା ନାୟକ ଓ କର୍ନାଟକର ସିଦ୍ଧାର୍ଥ ଗୌତମଙ୍କ ମିଳିତ ଉଦ୍ୟମରେ ବହୁଳ ଲୋକପ୍ରିୟ ‘ଟିକ୍‌ଟକ୍‌’ ଆପର ବିକଳ୍ପ ଭାବେ ‘ଚିଙ୍ଗାରି’ ଆପ୍‌ଟି ବିକଶିତ ହୋଇପାରିଛି। କଥା ହେଉଛି, ନେଡ଼ିଗୁଡ଼ କହୁଣିକୁ ବୋହିଗଲା ପରେ ଆମର ବୁଦ୍ଧି ପଶେ। ସରକାରଙ୍କ ‘ଷ୍ଟାର୍ଟ ଅପ୍‌’ ଯୋଜନା ଷ୍ଟାର୍ଟ ହୁଏ। ‘ଆତ୍ମନିର୍ଭର ଭାରତ’ କଥା ମନେପଡେ। ଚାଇନା ଜିନିଷ ଯେବେ ଧସେଇ ପଶୁଥିଲା ସରକାର ସେତେବେଳେ କମ୍ରେଡ୍‌ ମାଟିର କମ୍ପାନୀଗୁଡିକ ପାଇଁ ଲାଲ୍‌ କାର୍ପେଟ୍‌ ବିଛେଇ ଚାଲିଥିଲେ। ଠିକ୍‌ ସେତିକି ବେଳର ଭାରତର ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ଜୟରାମ ରମେଶଙ୍କ ସ୍ବୀକାରୋକ୍ତି ବି ବେଶ୍‌ ପ୍ରଣିଧାନଯୋଗ୍ୟ। ଦେଶର ୨ୟ ବୃହତ୍‌ ହସ୍ତଶିଳ୍ପ ସାମଗ୍ରୀ ରପ୍ତାନି କେନ୍ଦ୍ର, ଯୋଧପୁରରେ ସେତେବେଳେ ଥିବା ଛୋଟବଡ ପ୍ରାୟ ୪୦୦ଟି ହସ୍ତଶିଳ୍ପ ୟୁନିଟରେ ୧ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ନିଯୁକ୍ତିପ୍ରାପ୍ତ ଏବଂ ବାର୍ଷିକ ଅନୂ୍ୟନ ୭୦୦ କୋଟି ଟଙ୍କାର ସାମଗ୍ରୀ ରପ୍ତାନି ହୋଇଥାଏ ବୋଲି ସଂସଦରେ ଉତ୍ତର ରଖିଥିଲେ ସେ। ସେ ଦେଖାଇଥିବା ଯୋଧପୁର ଆଇନାରେ ହିଁ ଆମେ ଦେଖିପାରିବା ଭାରତର କ୍ଷୁଦ୍ରଶିଳ୍ପ, ହସ୍ତଶିଳ୍ପ, କୌଳିକ ଶିଳ୍ପ ଆଦିରେ ସମ୍ଭାବନାଭରା ଉଜ୍ଜ୍ୱଳ ଭବିଷ୍ୟତକୁ, ଯେଉଁଥିରେ ମଜଭୁତ ଅର୍ଥନୀତିର ସମ୍ଭାବନା ସହିତ ବ୍ୟାପକ ରୋଜଗାରର ଉତ୍ସ ନିହିତ। ଏସବୁ ସତ୍ତ୍ୱେ ଏହି କ୍ଷେତ୍ରଗୁଡିକୁ ଏକପ୍ରକାର ଅଣଦେଖା କରାହେଲା। ସରକାର ନାମକ ସଂସ୍ଥାଟି ଚାଇନା ପାଇଁ ସାହାଣମେଲା କରି ଶୋଇପଡ଼ିଲେ ଦେଢ଼ ଦଶନ୍ଧି ଧରି। ଠିକି ଶିଖିଲା ପରେ ଅନ୍ତତଃ ଏବେ ସରକାରଙ୍କଠାରୁ ସାଧାରଣସ୍ତର ପର୍ଯ୍ୟନ୍ତ ସଭିଙ୍କ ଚୈତନ୍ୟ ଉଦୟ ହେଉ। ମାଟିକୁ ଗଢିବାର, ସୁରକ୍ଷିତ ରଖିବାର ମାନସିକତା ଟିକକ ଜାଗି ଉଠୁ। ବାଜି ଉଠୁ ଜାଗୃତିର ତୂର୍ଯ୍ୟନାଦ। ଶୁଭୁ ସ୍ବଦେଶୀ ସଂକଳ୍ପର ଶଙ୍ଖନାଦ।
ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri