ରତ୍ନଭଣ୍ଡାର ଖୋଲିବା ପରେ ବାହାରକୁ ଆସି ଏମିତି କହିଲେ ମୁଖ୍ୟ ପ୍ରଶାସକ

ପୁରୀ,୧୪।୭: ଶେଷରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଖୋଲିଛି ରତ୍ନଭଣ୍ଡାର। ପ୍ରଥମେ ବାହାର ଏବଂ ପରେ ଭିତର ରତ୍ନଭଣ୍ଡାରକୁ ଖୋଲାଯାଇଛି। ଭିତର ଅବସ୍ଥା ଦେଖିବା ପରେ ବାହାରକୁ ଆସିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ରତ୍ନଭଣ୍ଡାର ଖୋଲିବା ପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା ସେଥିରେ ତାଲା ଖୋଲି ପାରି ନ ଥିଲା। ଫଳରେ ଏସଓପି ଅନୁସାରେ ତାଲା ଭାଙ୍ଗି ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ବାହାର ରତ୍ନଭଣ୍ଡାର ଅଳଙ୍କାର ଚାଙ୍ଗଡା ଘର ଏବଂ ଫୁଲ ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯିବା ପରେ ତାହାକୁ ସିଲ କରାଯାଇଛି। ଭିତର ରତ୍ନଭଣ୍ଡାର ସିନ୍ଦୁକରେ ସୁନା ରହିଛି। ରଥଯାତ୍ରା ପରେ ତାହା ଗଣନା ହେବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
ମୁଖ୍ୟ ପ୍ରଶାସକ ଆହୁରି ମଧ୍ୟ କହିଛନ୍ତି ଯେ, ଭିତର ଭଣ୍ଡାର ଅଳଙ୍କାର ଆଜି ଖୋଲାଗଲାନି। ବାହାର ଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ କାମ ବହୁତ ସମୟ ଲାଗିଗଲା। କାଲି ବାହୁଡ଼ା ଯାତ୍ରା ଥିବାରୁ ଅନେକ ନୀତିକାନ୍ତି ରହିଛି। ତେଣୁ ବାହୁଡ଼ା, ସୁନାବେଶ ସରିବା ପରେ ରତ୍ନଭଣ୍ଡାର ଖୋଲିବା ନେଇ ଆଉ ଏକ ଦିନ ନିର୍ଦ୍ଧାରଣ କରାଯାଇ ଖୋଲାଯିବ। ଭିତର ଭଣ୍ଡାର ଅଳଙ୍କାରକୁ ଖଟଶେଜ ଘରକୁ ସ୍ଥାନାନ୍ତର କରାଯିବ ଅଳଙ୍କାର ସ୍ଥାନାନ୍ତରଣ ପରେ ଏଏସଆଇ ରକ୍ଷଣାବେକ୍ଷଣ କାମ କରିବ।

Share