ପାଣ୍ଡିଆନ୍‌ ଗଲାପରେ ଲଣ୍ଡା ହେଲେ ଗାଁ ସାଥୀ ସଂଘର ସଭାପତି

ଭୁବନେଶ୍ୱର,୧୨।୬(ଅନୁରାଧା ମହାରଣା):ସାଧାରଣ ନିର୍ବାଚନରେ ଓଡ଼ିଶାରେ ଭାଜପା ବହୁମତ ଲାଭ କରିବା ସହ ସରକାର ଗଠନ କରିବାକୁ ଯାଉଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ବୁଧବାର ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ତେବେ ଭାଜପା ନେତୃତ୍ୱରେ ହେବାକୁ ଯାଉଥିବା ନୂଆ ସରକାର ଗଠନକୁ ଗାଁ ସାଥୀ ସଂଘ ପକ୍ଷରୁ ସ୍ବାଗତ କରାଯାଇଛି। ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ୱାଳ ରାମ ମନ୍ଦିର ଆଗରେ ଲଣ୍ଡା ହେବା ସହ ରାଜ୍ୟରୁ ତାମିଲ୍‌ ଶାସନ ଅବସାନ ହୋଇଥିବା କହିଛନ୍ତି। ସେ କହିଛନ୍ତି, ଗାଁସାଥୀଙ୍କ ଭାଗ୍ୟ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲି ଦେଇ ରତ୍ନଗର୍ଭା ଓଡ଼ିଶାକୁ ବରବାଦ କରିଥିବା କାର୍ତ୍ତିକ ପାଣ୍ଡିଆନ୍‌ଙ୍କର ସବୁ ମନ୍ଦ ଯୋଜନାକୁ ଓଡ଼ିଶାବାସୀ ପଣ୍ଡ କରିଦେଲେ। ମାତ୍ର ଜଗନ୍ନାଥ ଓ ରାମଲାଲାଙ୍କ କୃପାରୁ ଭାଜପା ସରକାର ଗଠନ କରିବାକୁ ଯାଉଛି। ଭାଜପା ସରକାରକୁ ସଂଘ ପକ୍ଷରୁ ସ୍ବାଗତ କରାଯିବା ସହ ଦିନତମାମ ଲୋକଙ୍କୁ ଭୋଗ ବଣ୍ଟନ କରାଯାଇଥିଲା। ସଂଘର ରାଜ୍ୟ ସମ୍ପାଦକ ବିବେକାନନ୍ଦ ଠାକୁରଙ୍କ ସମେତ ୨୦୦ରୁ ଊର୍ଦ୍ଧ୍ୱ ଗାଁସାଥୀ ଉପସ୍ଥିତ ଥିଲେ।

Share