Categories: ଜାତୀୟ

ପ୍ରଶାନ୍ତ କିଶୋର ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିବା ପରେ ଆନ୍ଧ୍ର ରାଜନୀତିରେ ଦେଖାଗଲାଣି ଉଷ୍ମତା

ଅମରାବତି,୨୪।୧୨: ନିର୍ବାଚନ ରଣନୀତିଜ୍ଞ ବା ନିର୍ବାଚନର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ଶନିବାର ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିଛନ୍ତି। ଏହିବୈଠକର ଏଜେଣ୍ଡା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଆନ୍ଧ୍ର ରାଜନୀତିରେ ଏହାକୁ ନେଇ ଉତ୍ତେଜନା ତୀବ୍ର ହୋଇଛି। ୨୦୧୯ ବିଧାନସଭା ନିର୍ବାଚନରେ ଜଗନମୋହନ ରେଡ୍ଡୀଙ୍କ ଦଳ ଓ୍ବାଇଏସଆର୍‌ କଂଗ୍ରେସ ପାଇଁ ପ୍ରଶାନ୍ତ କିଶୋର ରଣନୀତି ପ୍ରସ୍ତୁତ କରିଥିଲେ। ଏହି ନିର୍ବାଚନରେ ରେଡ୍ଡୀଙ୍କ ଦଳ ଏକ ରେକର୍ଡ ବିଜୟ ହାସଲ କରିଥିଲା। କିନ୍ତୁ ବର୍ତ୍ତମାନ ପ୍ରଶାନ୍ତ କିଶୋର ରେଡ୍ଡୀଙ୍କ ପ୍ରତିଦ୍ୱନ୍ଦ୍ୱୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିଛନ୍ତି, ଏଭଳି ପରିସ୍ଥିତିରେ ଅନେକ ଅର୍ଥ ଏଥିରେ ଆଲୋଚନାକୁ ଆସିଛି।
ପ୍ରଶାନ୍ତ ବିଜୟୱାଡାସ୍ଥିତ ତାଙ୍କ ବାସଭବନରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିଥିଲେ। ସେ ଏହାକୁ ଏକ ସୌଜନ୍ୟମୂଳକ ସକ୍ଷାତକାର ବୋଲି କହିଛନ୍ତି। ସେ କହିଛନ୍ତି, ଏହା ଦୀର୍ଘ ସମୟ ଧରି ପେଣ୍ଡିଂ ଥିଲା। ତେବେ ନାଇଡୁଙ୍କ ସହ କିଶୋରଙ୍କ ହଠାତ୍‌ ସାକ୍ଷାତ ଆନ୍ଧ୍ରପ୍ରଦେଶରେ ଏକ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ଏହି ବୈଠକରେ ଶାସକ ଓ୍ବାଏସଆରର ନେତାମାନେ ନାଇଡୁଙ୍କୁ ଟାର୍ଗେଟ କରିଥିଲେ। ୨୦୨୪ରେ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ମୁଁ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିଥିଲି। ଏହା ଏକ ସୌଜନ୍ୟମୂଳକ ବୈଠକ ଥିଲା, ଯାହାକି ଦୀର୍ଘ ସମୟ ଧରି ପେଣ୍ଡିଂ ଥିଲା । ମୁଁ ତାଙ୍କୁ କହିଥିଲି ଯେ ମୁଁ ତାଙ୍କୁ ଭେଟିବାକୁ ଆସିବି।

Share