ଜାତିସଂଘ, ୨୧।୯ : ସାଇପ୍ରସ ପ୍ରସଙ୍ଗରେ ଭାରତୀୟ ବହିର୍ବ୍ୟାପାରମନ୍ତ୍ରୀ ଏସ.ଜୟଶଙ୍କର ବୁଧବାର ତୁର୍କୀ ପ୍ରତିପକ୍ଷ ମେଭଲୁଟ କଭୁସୋଗ୍ଲୋଙ୍କ ସହ ଏକ ବୈଠକ କରିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦର ସାଇପ୍ରସ ସମ୍ବନ୍ଧୀୟ ନିଷ୍ପତ୍ତିକୁ ପାଳନ କରିବା ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ତୁର୍କୀ ବୈଦେଶିକ ମନ୍ତ୍ରୀଙ୍କୁ ସାକ୍ଷାତ କରି ଏସ. ଜୟଶଙ୍କର ଏକ ଟୁଇଟରେ କହିଛନ୍ତି ଯେ ୟୁକ୍ରେନ ବିବାଦ, ଖାଦ୍ୟ ନିରାପତ୍ତା, ଜି-୨୦ ପ୍ରକ୍ରିୟା, ବିଶ୍ୱସ୍ତରୀୟ ଶୃଙ୍ଖଳା, ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଏବଂ ସାଇପ୍ରସକୁ ନେଇ ବ୍ୟାପକ ଆଲୋଚନା ହୋଇଛି। ସାଇପ୍ରସରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ସମସ୍ୟା ୧୯୭୪ ମସିହାରେ ଆରମ୍ଭ ହୋଇଥିଲା। ଯେତେବେଳେ ତୁର୍କୀ ଦେଶରେ ଏକ କ୍ଷମତା ଦଖଲ ବିରୋଧରେ ଉତ୍ତର ଭାଗ ଉପରେ ଆକ୍ରମଣ କରିଥିଲା। ଏହାକୁ ଗ୍ରୀକ ସରକାର ସମର୍ଥନ କରିଥିଲେ। ଜାତିସଂଘର ପ୍ରସ୍ତାବ ଅନୁଯାୟୀ ଏହି ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ପ୍ରୟାସ କରୁଛି।
ମିଳିତ ଜାତିସଂଘ ସାଧାରଣ ସଭାର ଏକ ଉଚ୍ଚସ୍ତରୀୟ ବୈଠକକୁ ସମ୍ବୋଧିତ କରି ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗାନ ଜମ୍ମୁ-କଶ୍ମୀରକୁ ଦ୍ୱିପାକ୍ଷିକ ପ୍ରସଙ୍ଗ ଭାବରେ ବର୍ଣ୍ଣନା କରିବା ସହିତ ଏହାର ସ୍ଥାୟୀ ଶାନ୍ତି ପାଇଁ ଆଶା ପ୍ରକଟ କରିଛନ୍ତି। ସେ କହିଛନ୍ତି, ୭୫ ବର୍ଷ ପୂର୍ବେ ସେମାନଙ୍କର ସାର୍ବଭୌମତ୍ୱ ଏବଂ ସ୍ବାଧୀନତା ପ୍ରତିଷ୍ଠା କରିବା ପରେ ମଧ୍ୟ ଭାରତ ଏବଂ ପାକିସ୍ତାନ ପରସ୍ପର ମଧ୍ୟରେ ଶାନ୍ତି ଏବଂ ଏକତା ପ୍ରତିଷ୍ଠା କରି ପାରିନାହାଁନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେ କହିଛନ୍ତି ଯେ କଶ୍ମୀରକୁ ନେଇ ଆମେ ଆଶା କରୁଛୁ ଶୀଘ୍ର ସେଠାରେ ଶାନ୍ତି ଏବଂ ସମୃଦ୍ଧତା ପ୍ରତିଷ୍ଠା ହେବ।
ସେ ଭାରତର ଆଭିମୁଖ୍ୟ ଅନୁସାରେ କହିଥିଲେ ଯେ, ଦୁଇ ଦେଶ ମଧ୍ୟରେ ୧୯୭୨ ଶିମଲା ଚୁକ୍ତିନାମା ଅନ୍ତର୍ଗତ କଶ୍ମୀର ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଏଥିରେ ତୃତୀୟ ପକ୍ଷର ମଧ୍ୟସ୍ଥତାର କୌଣସି ସ୍ଥାନ ନାହିଁ। ତେବେ ତୁର୍କୀ ରାଷ୍ଟ୍ରପତିଙ୍କ ବିବୃତ୍ତି ୨୦୨୦ ଠାରୁ ଭିନ୍ନ ରହିଥିଲା। ସେତେବେଳେ ସମୟରେ ତୁର୍କୀ ରାଷ୍ଟ୍ରପତି କଶ୍ମୀରର ପରିସ୍ଥିତିକୁ ଏକ ଜ୍ୱଳନ୍ତ ପ୍ରସଙ୍ଗ ବୋଲି କହି କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ରଦ୍ଦ କରିବା ପଦକ୍ଷେପକୁ ସମାଲୋଚନା କରିଥିଲେ। ୨୦୨୯ରେ, ସେ କହିଥିଲେ ଯେ ଇଣ୍ଡିଆନ ୟୁନିଅନ ଟେରିଟୋରୀରେ ସଂକଳ୍ପ ଗ୍ରହଣ କରାଯିବା ସତ୍ତ୍ୱେ କଶ୍ମୀର ସଙ୍କଟରେ ରହିଛି। ଆଠ ନିୟୁତ ଲୋକ କଶ୍ମୀରରେ ଫଶି ରହିଥିବା ସେ କହିଥିଲେ।