Categories: ଅନୁଗୋଳ

ବର୍ଷା ପରେ ପଶିଲା ବୁଦ୍ଧି

ଅନୁଗୋଳ ଅଫିସ, ୨୨।୬  – ମୌସୁମୀ ବର୍ଷା ଆରମ୍ଭରୁ ଅନୁଗୋଳ ସହରରେ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହୋଇଛି। ସରକାରୀ ଜାଗା ସହ ପୌରାଞ୍ଚଳର ୨୩ଟି ଓ୍ବାର୍ଡରେ ଥିବା ଡ୍ରେନ୍‌ର ବହୁ ଅଂଶ ଜବରଦଖଲ କରାଯାଇଥିବାରୁ ଏପରି ଅସୁବିଧା ଦେଖାଦେଇଛି। ଜବରଦଖଲକାରୀମାନେ ଡ୍ରେନ୍‌ ଉପରେ କେଉଁଠି ଘର ତ ଆଉ କେଉଁଠି ଦୋକାନ, ଶୌଚାଳୟ ନିର୍ମାଣ କରିଛନ୍ତି। ଫଳରେ ଆବର୍ଜନା ସହ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଓ ଘର ସମ୍ମୁଖରେ ଜମି ରହୁଥିବାରୁ ସହରରେ ଜନଅସନ୍ତୋଷ ଦେଖାଦେଇଛି। ମୌସୁମୀ ବର୍ଷା ପରେ କେତେଜଣଙ୍କ ଘରେ ମଧ୍ୟ ପାଣି ପଶିଯାଇଛି। ତେବେ ବର୍ଷା ସହ ଅସନ୍ତୋଷ ବଢ଼ୁଥିବା ଦେଖି ଏବେ ପୌର କର୍ତ୍ତୃପକ୍ଷଙ୍କ ବୁଦ୍ଧି ପଶିଛି। ଡ୍ରେନ୍‌ ଜବରଦଖଲ ହଟାଇବାକୁ ସହରରେ ଡାକବାଜି ଯନ୍ତ୍ର ଜରିଆରେ ପ୍ରଚାର ଆରମ୍ଭ ହୋଇଛି।
କିଛି ଦିନ ହେବ ଅନୁଗୋଳ ସହରରେ ଦୈନିକ ବର୍ଷା ହେଉଛି। ଫଳରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଅନେକ ସ୍ଥାନରେ ଜମି ରହୁଛି। ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ଘରେ ପାଣି ପଶୁଛି। ଡ୍ରେନ୍‌ ଜବରଦଖଲ କାରଣରୁ ଏପରି ହେଉଥିବା ପୌର କର୍ତ୍ତୃପକ୍ଷ ଜାଣିପାରିଛନ୍ତି। ମୁଖ୍ୟତଃ ବଜାର ଛକରୁ ଶଙ୍କର ସିନେମା ରୋଡ୍‌ ଦେଇ ଯାଇଥିବା ଗାନ୍ଧୀଛକ ରାସ୍ତାରେ କେତେଜଣ ବ୍ୟବସାୟୀ ଡ୍ରେନ୍‌ ପୋତି ଦୋକାନ ଘର ବୃଦ୍ଧି କରିଛନ୍ତି। ଡିିଆଇସି ଛକରୁ ଶିମିଳିପଡ଼ାକୁ ଯାଇଥିବା ରାସ୍ତା ପାର୍ଶ୍ୱରେ ଡ୍ରେନ୍‌କୁ ପୋତାଯାଇ ଜନବସତି ଗଢ଼ି ଉଠିଛି। ହେମସୁରପଡ଼ାର ଏକ ଗଳିରେ ଡ୍ରେନ୍‌ ଉପରେ ଘର ନିର୍ମାଣ ସହ ପାର୍କିଂ ସେଡ୍‌, ଶୌଚାଳୟ ନିର୍ମାଣ ହୋଇଛି। ମିଶ୍ରପଡ଼ା, ବଣିଆବାହାଳ, ଲକି ଟାଇଜ୍‌ ଛକ, ବ୍ରାହ୍ମଣୀଦେଇପଡ଼ା, ଶୁକୁଆ ସାହି, ପିଟିସି ପଛପାର୍ଶ୍ୱ, ଅମଲାପଡ଼ା ଆଦି ଅଞ୍ଚଳରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଏପରି କି ଡ୍ରେନ୍‌ କେଉଁଠି ରହିଛି, ତାହା ଜାଣିବା ମୁସ୍‌କିଲ ହୋଇପଡ଼ୁଛି। ଆଗାମୀ ଦିନରେ ଲଗାଣ ବର୍ଷା ହେଲେ ସହରରୁ ଜଳ ନିଷ୍କାସନ ବ୍ୟବସ୍ଥା ଜଟିଳ ହୋଇପଡ଼ିବ ବୋଲି କୁହାଯାଉଛି। ତେଣୁ ବେଳ ଥାଉ ଥାଉ ପ୍ରତିକାର କରିବାକୁ ପୌର କର୍ତ୍ତୃପକ୍ଷ ଅଣ୍ଟା ଭିଡ଼ିଛନ୍ତି। ବିଭିନ୍ନ ସ୍ଥାନରେ ଜବରଦଖଲ ଚିହ୍ନଟ କରାଯିବା ସହ ବୁଲଡୋଜର ଲଗାଇ ଏହାକୁ ଭାଙ୍ଗିବାକୁ ଯୋଜନା କରାଯାଉଛି।