ବଳାତ୍କାର ପରେ ବିବାହ ନ କରି କଲେ ଏପରି…

ବିଶକେକ୍‌,୧୨।୪: ବିବାହ ଏକ ସାମାଜିକ ଉତ୍ସବ। ଏହାଦ୍ୱାରା ଜଣେ ସ୍ତ୍ରୀ ଓ ପୁରୁଷଙ୍କୁ ନେଇ ଦାମ୍ପତ୍ୟ ଜୀବନ ଆରମ୍ଭ ହୋଇଥାଏ। ତେବେ ପୃଥିବୀର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ ହୋଇଥାଏ। ଏଭଳି କେତେକ ପରମ୍ପରାକୁ ସାମ୍ପ୍ରତିକ ସମାଜରେ ଘୃଣ୍ୟ ଭାବେ ଗ୍ରହଣ କରାଯାଇଥାଏ। ଏହା ମାନବିକଅଧିକାରକୁ କ୍ଷୁର୍ଣ୍ଣ କରିଥାଏ। ସେଭଳି ଏକ ବିବାହ ପରମ୍ପରା କିର୍ଗିଜସ୍ତାନରେ ପ୍ରଚଳିତ। ଏଠାରେ ଯୁବକମାନେ ନିଜ ପସନ୍ଦର ଯୁବତୀଙ୍କୁ ଅପହରଣ କରି ନେଇଥାନ୍ତି। ଅପହରଣ କରିବା ପରେ ପ୍ରଥମେ ସମ୍ପୃକ୍ତ ଯୁବକ ଅପହୃତା ଯୁବତୀଙ୍କୁ ବଳାତ୍କାର କରିଥାନ୍ତି। ଏହାପରେ ଯୁବତୀଙ୍କ ସହିତ ବିବାହ କରିଥାନ୍ତି। ଏହି ଘୃଣ୍ୟ ପରମ୍ପରାକୁ ସ୍ଥାନୀୟ ସରକାର ୨୦୧୩ ବେଆଇନ ଘୋଷଣା କରିଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ବିଶେଷ ସୁଧାର ଆସିପାରି ନାହିଁ। ସମ୍ପ୍ରତି ଏପ୍ରିଲ୍‌ ୮ରେ ଏଠାରେ ଜଣେ ୨୭ ବର୍ଷ ବୟସ୍କା ଯୁବତୀଙ୍କ ମୃତଦେହ ମିଳିଛି। ତାଙ୍କୁ ବିବାହ ପାଇଁ ଅପହରଣ କରାଯାଇ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଫଳରେ ଦେଶବ୍ୟାପୀ ଲୋକେ ଏହା ବିରୋଧରେ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଘରୁ କୌଣସି କାମରେ ବାହାରକୁ ଯାଇଥିବା ଏଜାଦା ନାମକ ଏହି ଯୁବତୀ ଜଣଙ୍କୁ ଏପ୍ରିଲ ୫ରେ ଅପହରଣ କରାଯାଇଥିଲା। ପୋଲିସ ରିପୋର୍ଟ ଅନୁସାରେ ୩ ଜଣ ତାଙ୍କୁ ରାସ୍ତାରୁ ଉଠାଇ ନେଇଥିଲେ। ପୋଲିସ ପାଖରେ ଭିଡ଼ିଓ ପ୍ରମାଣ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରି ନାହିଁ। ପରେ ରାଜଧାନୀ ବିଶକେକ୍‌ ନିକଟରେ ଥିବା କନାଟବକୋଓ୍ବା ଗାଁଠାରେ ଏକ କାରରେ ଜଣେ ମୃତ ଯୁବକଙ୍କ ସହିତ ଏଜାଦାଙ୍କ ମୃତଦେହ ଜବତ କରାଯାଇଥିଲା। ଯୁବକ ଜଣକ ଏତାଦାଙ୍କୁ ଅପହରଣ କରି ବଳାତ୍କାର କରିବା ପରେ ତାଙ୍କର ଗଳାଚିପି ହତ୍ୟା କରିଥିଲେ। ପରେ ଦୁଃଖରେ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କିର୍ଗିଜସ୍ତାନରେ ପ୍ରତିବର୍ଷ ୮ ହଜାରରୁ ଅଧିକ ଯୁବତୀଙ୍କୁ ବିବାହ ପାଇଁ ଅପହରଣ କରାଯାଇଥାଏ।

Share