ରେଭେନ୍‌ଶାଙ୍କ ପରେ ଫକୀରମୋହନଙ୍କ ପାଳି

ଭୁବନେଶ୍ୱର,୬।୯(ଅନିଲ ଦାସ): ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତି ଭାଜପା ଯୁବମୋର୍ଚ୍ଚାର ସଭାପତି ଯେଉଁଭଳି କଟୁ ଓ ନିମ୍ନରୁଚିର ମନ୍ତବ୍ୟ ଦେଇଛନ୍ତି ତାହାକୁ ବିଜେଡି ଦୃଢ ନିନ୍ଦା କରିଛି। ଶଙ୍ଖଭବନଠାରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଓ ତୁମ୍ବନାଥ ପଣ୍ଡା କହିଛନ୍ତି ଯେ, ଓଡ଼ିଆ ଅସ୍ମିତାର ନାରାଦେଇ ଓଡ଼ିଆଙ୍କ ଭାବ ପ୍ରବଣତା ସହ ଖେଳିଥିବା ଭାରତୀୟ ଜନତା ପାର୍ଟିର ଅସଲ ସ୍ବରୂପ ଏବେ ପଦାରେ ପଡ଼ିଛି। ଓଡ଼ିଆ ଅସ୍ମିତାର ପ୍ରତୀକ ତଥା ଓଡ଼ିଆ ସାହିତ୍ୟର ପ୍ରାଣବିନ୍ଦୁ ବ୍ୟାସକବି ଫକୀରମୋହନ ସେନାପତି, ବ୍ରିଟିଶଙ୍କୁ ତେଲ ମାଲିସ କରୁଥିଲେ ବୋଲି ଭାଜପା ଯୁବମୋର୍ଚ୍ଚା ସଭାପତି ଦେଇଥିବା ମନ୍ତବ୍ୟ ରାଜ୍ୟବାସୀଙ୍କ ମନରେ ଗଭୀର ଆଘାତ ଦେଇଛି। ଏଥିସହିତ ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ପାଇବା ପାଇଁ ‘ଉତ୍କଳ ସମ୍ମିଳନୀର ପୁରୋଧାମାନେ ବ୍ରିଟିଶ ସହିତ ସାଲିସ କରୁଥିଲେ’ ବୋଲି ଭାଜପା ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେହିପରି ଭାଷାଭିତ୍ତିକ ରାଜ୍ୟ ଗଠନ ହେବାର ୧୦୦ ବର୍ଷ ପୂରଣ ହେବାକୁ ଯାଉଥିଲା ବେଳେ ଆମେ ବିକଶିତ ଓଡ଼ିଶାର ସ୍ବପ୍ନ ଦେଖୁଛେ। କିନ୍ତୁ ଓଡ଼ିଆ ଭାଷାକୁ ସ୍ବତନ୍ତ୍ର ପରିଚୟ ଦେବାରେ ଅଗ୍ରପୂଜ୍ୟ ଫକୀରମୋହନ ସେନାପତି ଓ ଉତ୍କଳ ସମ୍ମିଳନୀର ଅନ୍ୟମାନଙ୍କ ସ୍ମୃତିଚାରଣ କରିବା ବଦଳରେ ତାଙ୍କୁ ବ୍ରିଟିଶଙ୍କ ଏଜେଣ୍ଟ ଭାବେ ଅଭିହିତ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ବିଜେଡି ମୁଖପାତ୍ର ଦ୍ୱୟ କହିଛନ୍ତି। ରେଭେନ୍‌ଶା ବିବାଦ ସୃଷ୍ଟି କଲା ପରେ ବ୍ୟାସକବି ଫକୀରମୋହନ ସେନାପତି ଓ ଉତ୍କଳ ସମ୍ମିଳନୀକୁ ନେଇ ଭାଜପା ଯେଉଁ ବିବାଦ ସୃଷ୍ଟିକରିବା ପାଇଁଁ ଉଦ୍ୟମ ଆରମ୍ଭ କରିଛି, ତାହା ଓଡିଶା ମାଟିରେ ଗ୍ରହଣୀୟ ନୁହେଁ। ମୁଖ୍ୟମନ୍ତ୍ରୀ ଏ ବାବଦରେ ରାଜ୍ୟବାସୀଙ୍କ ସାମ୍ନାରେ ଉତ୍ତର ରଖନ୍ତୁ ବୋଲି ବିଜେଡି ଦାବି କରିଛି।

Share