‘ସୁସ୍ଥ ହେବା ପରେ ଚଡ଼ିଚିଡ଼ା ହେଉଛନ୍ତି କୋଭିଡ୍‌ ଆକ୍ରାନ୍ତ’

ଭୁବନେଶ୍ୱର,୧୬।୬: କୋଭିଡ ସଂକ୍ରମଣରୁ ନେଗେଟିଭ୍‌ ହେଲାପରେ ମଧ୍ୟ ଲୋକଙ୍କ ଠାରେ ବିଭିନ୍ନ ଲକ୍ଷଣ ଦେଖାଦେଉଛି। ଲୋକେ ଦୀର୍ଘ ମିଆଦି କୋଭିଡ୍‌ ସମସ୍ୟାରେ ପୀଡିତ ହେଉଛନ୍ତି । ଏନେଇ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋଭିଡ ସଚେତନତା କାର୍ଯ୍ୟକ୍ରମରେ ବୁଧବାର କଟକ ଏସ୍‌ବି ମେଡିକାଲର ପ୍ରଫେସର ଜୟନ୍ତ ପଣ୍ଡା ଏହି ସୂଚନା ଦେଇଛନ୍ତି। କୋଭିଡ ପରେ ଲୋକଙ୍କଠାରେ ଶ୍ୱାସନଳୀ ସମସ୍ୟା ଦେଖାଦେଉଛି। ଚିଡିଚିଡା ହେବା ଭୋକ ନ ହେବା, ଛାତି ଧଡଧଡ ଲକ୍ଷଣ ଦେଖାଯାଉଛି। ଏହି ସବୁ ବୟସ୍କ ମହିଳା, ଏବଂ ଜଟିଳ ରୋଗୀରେ ପୀଡିତଙ୍କ ନିକଟରେ ଦେଖାଯାଉଛି । ଶିଶୁମାନଙ୍କ ଠାରେ ଦୀର୍ଘ ମିଆଦି କୋଭିଡ ସମସ୍ୟା କମ୍‌ ଦେଖାଯାଏ । ଜଣେ ଉପଯୁକ୍ତ ଚିକିତ୍ସାରେ ରହିଲେ, ଏଥିରୁ ମୁକ୍ତି ପାଇପାରିବେ। ମାତ୍ର ଦୀର୍ଘ ମିଆଦି କୋଭିଡ ରୋଗୀ ଅଧିକ ସଂକ୍ରାମକ ନୁହେଁ ବୋଲି ପ୍ରଫେସର ପଣ୍ଡା କହିଛନ୍ତି।

କାର୍ଯ୍ୟକ୍ରମରେ ପ୍ରଫେସର ତଥା ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ବାନାମ୍ବର ରାୟ ଉପସ୍ଥିତ ରହି ଏକ୍‌ମୋ ଏବଂ ଭେଣ୍ଟିଲେଟର ଚିକିତ୍ସାର ପାର୍ଥକ୍ୟ ସମ୍ପର୍କରେ କହିଥିଲେ। ଶରୀର ଭିତରେ ଫୁସ୍‌ଫୁସ୍‌ ଦୂଷିତ ରକ୍ତକୁ ପରିଷ୍କାର କରିଥାଏ, ଠିକ୍‌ ସେହିପରି ଶରୀର ବାହାରେ ଏକମୋ ମେଶିନ ଏହି କାମ କରିଥାଏ। ହେଲେ ନିଶ୍ୱାସ ଜନିତ ସମସ୍ୟା ଥିଲେ ଭେଣ୍ଟିଲେଟର ସାହାଯ୍ୟ ନିଆଯାଏ। ଇକ୍‌ମୋ ଲଗାଇଦେଲେ ସମସ୍ତେ ବଞ୍ଚିବେ ତାହା କହିପାରିବା ନାହି ବୋଲି ସେ କହିଥିଲେ।

Share